ବ୍ଲକରେ ହେବ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟବାକ୍ସ ସିଲ୍‌ କରି ବ୍ଲକରେ ରହିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଗଣତି ହେବ। ପଞ୍ଚାୟତିରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଏକ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି ଓ ଅଭିଯୋଗ ପରେ ଚୂଡ଼ାନ୍ତ ଗେଜେଟ ନୋଟିଫିକେଶନ ପ୍ରକାଶ ପାଇବ।

ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶୋଧନ ରୁଲ୍‌-୨୦୨୧ ଅନୁସାରେ ଭୋଟଗ୍ରହଣ ଦିନ ଗଣନା ହେବ ନାହିଁ । ନୂଆ ନିୟମ ଅନୁସାରେ ଭୋଟଗ୍ରହଣ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ପ୍ରାର୍ଥୀ କିମ୍ବା ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲଟ ବକ୍ସ ଓ ଅନ୍ୟାନ୍ୟ ପେପର ସିଲ୍‌ କରିବେ। ସେଗୁଡ଼ିକୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକରେ ଭୋଟ ଗଣନା ହେବ। ଏହାକୁ ସେଣ୍ଟ୍ରାଲ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଓ ପୋଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଧାର୍ଯ୍ୟ ଦିବସରେ ଭୋଟ ଗଣତି ହେବ।

ପୂର୍ବରୁ ଏହି ବ୍ୟବସ୍ଥା ନ ଥିଲା। ପଞ୍ଚାୟତ ନିର୍ବାଚନରେ ଯେଉଁଦିନ ଭୋଟଗ୍ରହଣ ହେଉଥିଲା ସେଦିନ ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦରେ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡ଼ି ଯାଉଥିଲା। ଏବେ କିନ୍ତୁ ତାହା ହେବ ନାହିଁ। ଏଥିପାଇଁ ଏଥର ଅଧିକ ବାଲଟ ବକ୍ସ ଆବଶ୍ୟକ ପଡ଼ିବ। ଅଧିକ ବାଲଟ ବକ୍ସ ବଢ଼ାଇବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଜିଲାପାଳଙ୍କୁ କୁହାଯାଇଛି।