ଭୁବନେଶ୍ୱର,୧୦।୪: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ ସଂରକ୍ଷଣ ପାଇଁ ଜିଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି। ଜିଲା ପରିଷଦ ସଦସ୍ୟଙ୍କ ପାଇଁ ମଧ୍ୟ ସିଟ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ହୋଇଛି।ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅବଧି ପୂର୍ବରୁ ହେବନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ପଷ୍ଟ କରିଥିଲେ। ବିଧାନସଭାରେ ମନ୍ତ୍ରୀ ସ୍ପଷ୍ଟ କହିଥିଲେ, ୨୦୨୭ ଫେବୃଆରୀ ପୂର୍ବରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଏଥିସହ ମନ୍ତ୍ରୀ ନାୟକ କହିଥିଲେ ,ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ପ୍ରଶାସନିକସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇନାହିଁ। ସରକାର ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ଯେତେବେଳେ ବିଧିବଦ୍ଧ ନିଷ୍ପତ୍ତି ନେବେ, ସେହି ସମୟରେ ପ୍ରଚଳିତ ନୀତି ନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ଲକ ଏବଂ ପଞ୍ଚାୟତ ପୁନର୍ଗଠନ ସମ୍ପର୍କିତ ପ୍ରତ୍ୟେକ ପ୍ରସ୍ତାବକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।