ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି ସବିଶେଷ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ନୁହେଁ ବରଂ ବର୍ତ୍ତମାନର ପଞ୍ଚାୟତ ପ୍ରତିନିଧିଙ୍କ ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଆଗୁଆ ନିର୍ବାଚନର ସଙ୍କେତ ଦେବାର ଦିନକ ପରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ଶ୍ରୀ ପାଢ଼ୀ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଶେଷ ହେବା ପରେ ହିଁ ଭୋଟ୍ ଗ୍ରହଣ କରାଯିବ। ପୂର୍ବ ନିର୍ବାଚନ ଫେବୃଆରୀ ୨୦୨୨ରେ ହୋଇଥିବାରୁ ପରବର୍ତ୍ତୀ ନିର୍ବାଚନ ୨୦୨୭ରେ ହେବାର ଅଛି।

ନିର୍ବାଚନ ତାରିଖ ଏବେ ଯାଏଁ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ସବ-ଡିଭିଜନ ସ୍ତରରେ ମତଦାନ କେନ୍ଦ୍ର ଚିହ୍ନଟ ଏବଂ ବାଲଟ୍ ବାକ୍ସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୧୦-୧୨ ଦିନ ଧରି ଜିଲ୍ଲାପାଳମାନଙ୍କ ସହ ଏନେଇ ପ୍ରାଥମିକ ବୈଠକ ମଧ୍ୟ ଶେଷ ହୋଇଛି।

ଗତ ଶନିବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ କର୍ମକର୍ତ୍ତାଙ୍କୁ ସୂଚନା ଦେଇଥିଲେ ଯେ, ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା କାର୍ଯ୍ୟ ଯୋଗୁଁ ନିର୍ବାଚନ ପ୍ରାୟ ୨-୩ ମାସ ଆଗୁଆ ହୋଇପାରେ। ସେ କର୍ମକର୍ତ୍ତାମାନଙ୍କୁ ତୃଣମୂଳ ସ୍ତରରେ ପ୍ରସ୍ତୁତି ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ (ଘର ତାଲିକା ପ୍ରସ୍ତୁତି) ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦, ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ମୁଖ୍ୟ ଜନଗଣନା ଫେବୃଆରୀ ୨୦୨୭ରେ ହେବାକୁ ଧାର୍ଯ୍ୟ କରାଯାଇଛି।

Share