ନୂଆପଡ଼ା,୮।୬ (ମକାରୁ ବେମାଲ):ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ନୂଆପଡ଼ା ଜିଲାରେ ବିଭିନ୍ନ ଦଳର ନେତୃତ୍ୱ ସେମାନଙ୍କ ସଙ୍ଗଠନ ସଜାଡିବାରେ ଲାଗିଛନ୍ତି। ନୂଆପଡ଼ା ବିଧାନସଭା କ୍ଷେତ୍ରର ବିଜେଡି ଓ ଭାଜପା ସହ କଂଗ୍ରେସର ନେତାମାନେ ଏଥିପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ, ବଜାର ପ୍ରାଙ୍ଗଣ, ବିଦ୍ୟାଳୟରେ ଜନ ସମ୍ପର୍କ ଯାତ୍ରା ମାଧ୍ୟମରେ ସ୍ଥାନୀୟ ସମସ୍ୟାର ସମାଧାନ କରୁଛନ୍ତି ଖୋଦ ବିଧାୟକ ରାଜେନ୍ଦ୍ର ଢୋଲକିଆ। ବିଭାଗୀୟ ଅଧିକାରୀମାନଙ୍କୁ ଫୋନ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ପଡା, ଗାଁମାନଙ୍କରେ ପାନୀୟ ଜଳ ସମସ୍ୟା, ବିଜୁଳି ସଂଯୋଗ ଓ ଅନ୍ୟାନ୍ୟ ସମସ୍ୟ ଉପରେ ବିଧାୟକ ପ୍ରାଧାନ୍ୟ ଦେଉଛନ୍ତି। ପ୍ରତିଦିନ ଖରିଆର ରୋଡସ୍ଥିତ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣାଣି ସହ ସମାଧାନ କରାଯାଉଛି। ବିଧାୟକଙ୍କ ଶାରୀରିକ ଅସୁସ୍ଥତା କାରଣରୁ ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କ ସୁପୁତ୍ର ଜୟ ଢୋଲକିଆ ପ୍ରତିନିଧି ଭାବରେ ଦାୟିତ୍ୱ ନେଉଛନ୍ତି। ଦଳର ଜିଲା ସଭାପତି ଅବନୀ ରଞ୍ଜନ ଯୋଷୀଙ୍କ ସହ ଅନେକ କର୍ମକର୍ତ୍ତା ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ସେହିପରି ଭାଜପା ମଧ୍ୟ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ନିଜର ସଂଗଠନକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସକ୍ରିୟ କରୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ରାଜନୀତିକୁ ଠିକ ଭାବେ ଅନୁଧ୍ୟାନ କରି ଗୋଟି ଚାଳନା କରୁଥିବା ପୂର୍ବତନ କଳାହାଣ୍ଡି ଏମ୍ପି ବସନ୍ତ ପଣ୍ଡା ନିଜର ସମର୍ଥକଙ୍କୁ ଏକଜୁଟ କରିପାରିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ଭାଜପା ସମସ୍ତ ମଣ୍ଡଳ କର୍ମକର୍ତ୍ତାଙ୍କୁ ନେଇ ଏକ ସମାରୋହ କରିଛି ା ବସନ୍ତ ପଣ୍ଡାଙ୍କ ଶାରୀରିକ ଅସୁସ୍ଥତା କାରଣରୁ ଏବେ ତାଙ୍କ ସୁପୁତ୍ର ତଥା ଗତ ବିଧାନସଭା ନିର୍ବାଚନର ବିଧାୟକ ପ୍ରାର୍ଥୀ ଯୁବମୋର୍ଚ୍ଚା ଜିଲା ସଭାପତି ଅଭିନନ୍ଦନ ପଣ୍ଡା ଦାୟିତ୍ୱ ନେଇଛନ୍ତି। ଦଳର ନୂଆ ପୁରୁଣା କର୍ମୀଙ୍କ ସହ ସମସ୍ତ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ଅଭିନନ୍ଦନ ଯୋଗ ଦେଉଛନ୍ତି। ଏଥିରେ କଂଗ୍ରେସ ଦଳ ପଛରେ ପଡିନାହିଁ। ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହୀରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ସୁଦୃଢ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ଅଲଗା ରହିଛି। ରାଜ୍ୟରେ ଏବେ ଭାଜପା ସରକାର ଥିବାବେଳେ ଦଳୀୟ କର୍ମୀଙ୍କ ଉତ୍ସାହ ବଢିଛି।