ନୂଆପଡ଼ା,୨୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପଞ୍ଚାୟତ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ ଉପସ୍ଥିତ ଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଓରାମ ସମସ୍ତ ପଞ୍ଚାୟତର ଆୟବ୍ୟୟ ହିସାବ ବୈଠକରେ ରଖିଥିଲେ। ସମୀକ୍ଷାରୁ ଜଣାପଡିଲା ଯେ, ଜିଲାର ୧୩୧ ପଞ୍ଚାୟତ ଜୁନ ୨୦ ସୁଦ୍ଧା ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ୩ କୋଟି ୧୯ ଲକ୍ଷ ୫୨ ହଜାର ଟଙ୍କା ଅନୁଦାନ ପାଇ ୧ କୋଟି ୨୧ ଲକ୍ଷ ୫୮ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। କେନ୍ଦ୍ରୀୟ ଅନୁଦାନରୁ ୨୧ କୋଟି ୯୪ ଲକ୍ଷ ୪୦ ହଜାର ପାଇଥିବା ବେଳେ ୯ କୋଟି ୭୦ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ପଞ୍ଚାୟତର ୧୧୮୨ ପୋଖରୀ ନିଲାମରୁ ୬୭ ଲକ୍ଷ ୪୯ ହଜାର ଟଙ୍କା ଆୟ ହୋଇଥିବା ବେଳେ ୪୪ ସପ୍ତାହିକ ବଜାରରୁ ୧୨ ଲକ୍ଷ ୫୭ ହଜାର ଓ ୫୫୫ ମାର୍କେଟ କମ୍ପ୍ଲେକ୍ସରୁ ୬ ଲକ୍ଷ ଟାଙ୍କା ଆୟ ହୋଇଛି। ଜିଲାପାଳ କହିଥିଲେ, ସମସ୍ତ ବିଡିଓ, ଡିପିଓ, ଜିପିଡିଓ ନିୟମିତ ବ୍ୟବଧାନରେ ସମସ୍ତ ପଞ୍ଚାୟତ ନିରୀକ୍ଷଣ କରିବେ। ମାସ ଆରମ୍ଭରେ ଗତ ମାସର ଆୟବ୍ୟୟର ହିସାବ ସମସ୍ତ ବ୍ଲକ ଓ ପଞ୍ଚାୟତର ନୋଟିସ ବୋର୍ଡରେ ଟଙ୍ଗାଯିବ। ପୂର୍ବ ମାସ ସଭାର ବିବରଣୀ ପାଠ କରାଯିବା ସହ କ’ଣ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ସେଠାରେ ସୂଚନା ଦିଆଯିବ। ପ୍ରତି ବୁଧବାର ସମସ୍ତ ପଞ୍ଚାୟତରେ ରୋଜଗାର ଦିବସ ସହ ସ୍ବଚ୍ଛତା ଦିବସ ମଧ୍ୟ ପାଳନ ହେବ। ପଞ୍ଚାୟତର ସମସ୍ତ ଜବରଦଖଲ ଜମି ତହସିଲଦାରମାନଙ୍କ ସହାୟତାରେ ମୁକ୍ତ କରାଯିବବୋଲି ଜିଲାପାଳ ସୂଚନା ଦେଇଛନ୍ତି।