ଭଦ୍ରକ/ଭୁବନେଶ୍ୱର,୨୦।୫(ସନାତନ ରାଉତ/ରବି ନାରାୟଣ ଜେନା): ଭଦ୍ରକ ଜିଲାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ବୈଠକରେ ବଣ୍ଟନ କରାଯାଉଥିବା ଜଳଖିଆରେ ରହିବ ‘ପାଳୁଅ ଲଡୁ’। ଏନେଇ ଜିଲାପାଳ ଦିଲୀପ ରାଉତରାଏ ସୋମବାର ଜିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ନଂ. ୩୩୨ରେ ଅତିରିକ୍ତ ଜିଲାପାଳ, ଜିଲା ପରିଷଦ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ତହସିଲଦାର, ବିଡିଓ, ନିର୍ବାହୀ ଅଧିକାରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଭଦ୍ରକ ଜିଲାର ଏକ ସ୍ବାଦିଷ୍ଟ ମିଷ୍ଟାନ୍ନ ଭାବେ ପାଳୁଅ ଲଡୁ ଘରେ ଘରେ ପରିଚିତ। ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଜିଲାର ପାରମ୍ପାରିକ ଖାଦ୍ୟ ହିସାବରେ ପାଳୁଅ ଲଡୁକୁ ଗୁରୁତ୍ୱ ଦେବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜିଲାପାଳ ରାଉତରାଏ କହିଛନ୍ତି।


