
ନୂଆଦିଲ୍ଲୀ,୯।୬: ପାକିସ୍ତାନ ନୂତନ ଅଲ-ଫର୍ମାଟ ଅଧିନାୟକ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଛି। ଏଥର ବାବର ଆଜମ କିମ୍ବା ମହମ୍ମଦ ରିଜୱାନ ନୁହେଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତା’ର ଜାତୀୟ ଦଳର ଗଠନରେ କିଛି ବଡ଼ ପରିବର୍ତ୍ତନ କରିବାକୁ ଯାଉଛି, ଯେଉଁଥିରେ ସଲମାନ ଅଲି ଆଘାଙ୍କୁ ଅଲ-ଫର୍ମାଟ ଅଧିନାୟକ ଭାବେ ନିଯୁକ୍ତ କରାଯିବ। ଯିଏ ଟେଷ୍ଟ ଦଳର ଅଧିନାୟକ ଭାବେ ଶାନ ମସୁଦଙ୍କ ବଦଳରେ ନେତୃତ୍ୱ ନେବେ। ଅଧିନାୟକତ୍ୱ ପରିବର୍ତ୍ତନ ବ୍ୟତୀତ, ବୋର୍ଡ ଈଦ ଛୁଟି ପରେ ଏକ “ଅବଜରଭେଟୋରୀ” କମିଟି ଗଠନର ଘୋଷଣା କରିବ, ଯାହା ଜାତୀୟ ଦଳ ସମେତ କ୍ରିକେଟ ଘଟଣାବଳୀ ଉପରେ ନିକଟତର ନଜର ରଖିବା ଏବଂ ବୋର୍ଡର ଅଧ୍ୟକ୍ଷଙ୍କୁ ସୁପାରିଶ ପ୍ରଦାନ କରିବେ।
ବୋର୍ଡର ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ପୂର୍ବତନ ଅଧିନାୟକ ସର୍ଫରାଜ ଅହମଦ ଏବଂ ପୂର୍ବତନ ଦ୍ରୁତ ବୋଲର ସିକନ୍ଦର ବଖ୍ତଙ୍କୁ ଏକ ବୈଠକ ପାଇଁ ଲାହୋରକୁ ଡକାଯାଇଛି। ଏହି ଦୁଇଜଣଙ୍କୁ ଅବଜରଭେଟୋରୀ କମିଟି ଗଠନର ନିଷ୍ପତ୍ତି ବିଷୟରେ ଜଣାଇ ଏହାରେ ପଦବୀ ପ୍ରଦାନ କରାଯାଇଛି।”
ଅନ୍ୟ କିଛି ଖେଳାଳି ମଧ୍ୟ ଏହି କମିଟିରେ ରହିବେ। ପିସିବି ଅଧ୍ୟକ୍ଷ ମୋହସିନ ନକଭି, ନୂତନ ହ୍ୱାଇଟ ବଲ ମୁଖ୍ୟ କୋଚ ମାଇକ ହେସନଙ୍କ ସମେତ ତାଙ୍କ ନିକଟତମ ସହଯୋଗୀଙ୍କ ସହ ଆଲୋଚନା ପରେ, ଜାତୀୟ ଚୟନ କମିଟିର ଭୂମିକାକୁ ପୁନର୍ନିର୍ଦ୍ଧାରଣ କରିବାକୁ ବିଚାର କରୁଛନ୍ତି।
ସଲମାନ ଅଲି ଆଘାଙ୍କୁ ଅଧିକ ଦାୟିତ୍ୱ ଦେବାର ମଧ୍ୟ ଏକ ପ୍ରୟାସ ରହିଛି, ଯିଏ ବର୍ତ୍ତମାନ ଜାତୀୟ ଟି-୨୦ ଅଧିନାୟକ ଅଟନ୍ତି, ଏବଂ ବୋର୍ଡ ରେଡ ବଲ ଫର୍ମାଟର ନୂତନ ମୁଖ୍ୟ କୋଚ ଘୋଷଣା କରିବା ସମୟରେ ଶାନ ମସୁଦଙ୍କୁ ଟେଷ୍ଟ ଅଧିନାୟକ ଭାବେ ବଦଳ କରିବାକୁ ବିଚାର କରୁଛି।