ବରଗଡ଼, ୯।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ବିଭାଗୀୟ ଅଧିକାରୀମାନଙ୍କଠାରେ ଆବଶ୍ୟକ କାଗଜପତ୍ର ଦାଖଲ ସତ୍ତ୍ବେ ଜିଲାର ଅନେକ ଚାଷୀ ପଞ୍ଜୀକୃତ ହୋଇ ନଥିବା ଯୋଗୁ ଖରିଫରେ ଅମଳ ଧାନ ବିକ୍ରି କରି ପାରିନାହାନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ବିକ୍ରି ହୋଇ ନ ଥିବା ଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ଗଦା କରି ଚାଷୀମାନେ ଧାରଣାରେ ବସିଛନ୍ତି ଏବଂ ବିକ୍ରି ଅପେକ୍ଷାରେ ରହିଥିବା ଧାନକୁ ତୁରନ୍ତ କିଣିବାକୁ ଦାବି କରିଛନ୍ତି। ପ୍ରକାଶ ଥାଉକି, ଗତ ୫ତାରିଖ ମଧ୍ୟ ଚାଷମାନେ ବାଇକ ଯୋଗେ ଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ସେହି ଧାନକୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଗଦା କରିଥିଲେ। ମାତ୍ର ରାତାରାତି ସେହି ଧାନ ସେଠାରୁ ଗାଏବ ହୋଇ ଯାଇଥିଲା ଏବଂ ଚାଷୀମାନେ ସେ ନେଇ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ।