ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ ସଂଗ୍ରହ ବୈଠକ ଅବସରରେ କହିଛନ୍ତି। ବୈଠକରୁ ଜଣାପଡ଼ିଛି ଯେ, ଆଜି ପର୍ଯ୍ୟନ୍ତ ରାଜ୍ୟର ୧୨ ଜିଲାରେ ଧାନକ୍ରୟ ପ୍ରକ୍ରିୟା ଚାଲୁ ରହିଛି ଏବଂ ୧୭ ଜିଲାରେ ଟୋକନ୍‌ ପ୍ରଦାନ କରାଯାଇଛି। ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ ଜିଲାରେ ଧାନକିଣା ଆରମ୍ଭ ହେବ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ ଜଣ କୃଷକ ତାଙ୍କର ୪,୯୭,୫୯୪ ମେଟ୍ରିକ୍‌ ଟନ୍‌ ଧାନ ବିକ୍ରୟ କରିପାରିଛନ୍ତି। ଏପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ ୧୦୫୬.୦୮ କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଇଛି। ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍‌ ଉପରେ ଆଞ୍ଚ୍‌ ନ ଆସିବ, ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମିଲର୍‌ମାନେ ଯେପରି ଚାଷୀମାନଙ୍କଠାରୁ ଠିକ୍‌ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍‌ ସମୟରେ ତାଙ୍କ ପ୍ରାପ୍ୟ ପାଇବେ, ସେଥିପ୍ରତି ଶତପ୍ରତିଶତ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଅଣଧାନ ଫସଲ ସଂଗ୍ରହ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ବିଶେଷକରି ମାଣ୍ଡିଆ, ଡାଲିଜାତୀୟ ଫସଲ ଓ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।