ନୂଆପଡ଼ା,୨୪।୬ (ମକାରୁ ବେମାଲ): ନୂଆପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ଅମିତ କୁମାର ଅହିରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶନିବାର ଜିଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ମଣ୍ଡି ସମସ୍ୟା ଉପରେ ଆଲୋଚନା କରି ଶୀଘ୍ର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ଏହାର ସମାଧାନ ନ ହେଲେ ଜୁଲାଇ ୧ରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। କର୍ମକର୍ତ୍ତା ଦର୍ଶାଇଥିଲେ, ଜିଲାର ବିଭିନ୍ନ ମଣ୍ଡିରେ ୫୦ ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ପଡି ରହିଛି। ବର୍ଷା ଆରମ୍ଭ ହୋଇଥିବାରୁ ମଣ୍ଡିରେ ଧାନ ରଖି ଚାଷୀ ଚିନ୍ତାରେ ପଡିଯାଇଛି। ଆବଶ୍ୟକ ତାରପୋଲିନ ନ ଥିବାରୁ ଧାନ ଭିଜି ଗଜା ହେବାକୁ ବସିଲାଣି। ଚାଷୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣିବା ପାଇଁ କେହି ନାହାନ୍ତି। ଜିଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ସମସ୍ୟା ସମାଧାନ ନ କଲେ ଜୁଲାଇ ୧ରୁ ଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବୁ ବୋଲି ଜିଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଜିଲାପାଳ ଦାଶ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ଧାନ ଉଠାଣ କରାଯିବ ବୋଲି କହିଛନ୍ତି।


