କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ କାକରରେ ଚାଷୀମାନେ ଖୋଲା ପଡ଼ିଆରେ ଦିନରାତି ପାଳିକରି ଧାନକୁ ଜଗିରହୁଛନ୍ତି । ରାଜ୍ୟରେ ଧାନ ମଣ୍ଡିରୁ ଉଠିବା ପ୍ରସଙ୍ଗକୁ ନେଇ ବୁଧବାର ରାଜ୍ୟ ତଥା ସମସ୍ତ ବ୍ଲକ ଓ ସହରରେ ରାସ୍ତା ଅବରୋଧ କରି ୮ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ବାଲସି ଧାନ ମଣ୍ଡିରେ ୪୨ ଜଣ ଚାଷୀଙ୍କ ୧୬ ଶହ ରୁ ଉର୍ଦ୍ଧ୍ବ କ୍ୱିଣ୍ଟାଲ ଧାନ ଖୋଲା ଜାଗାରେ ପଡି ରହିଛି ।
ଯେଉଁ ୩ଟି ଧାନ ମିଲକୁ ଜିଲାପାଳ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ମିଲର୍ସମାନେ କାହାରି କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ମିଲର୍ସମାନେ ମନମୁତାବ କ୍ୱିଣ୍ଟାଲ ପ୍ରତି ୬ ରୁ ୭ କେଜି ଧାନ କଟନି ଛଟନି କରୁଛନ୍ତି । ଏତେ ଶୀତ କାକରରେ ଧାନକୁ ପଲିଥିନରେ ଚାଷୀ ମାନେ ଘୋଡେଇ କରି ରଖିଛନ୍ତି । କେସିଙ୍ଗା ବ୍ଲକରେ ହାତୀର ଭୟ ରହୁଛି । ଏହି ଅଞ୍ଚଳରେ ରାତିରେ ବିଦ୍ୟୁତ କଟା ଯାଉଛି । ଯଦି ହାତୀ ପଲ ଆସିଲେ ଚାଷୀଙ୍କ ଧାନ କ୍ଷତି ହେବାର ବହୁ ସମ୍ଭାବନା ରହିଛି । ରାଜ୍ୟ ସରକାର ଧାନ ଉଠାଇବାରେ ବିଳମ୍ବକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଯଥାଶୀଘ୍ର ଏହି ବାଲସି ଧାନ ମଣ୍ଡିରୁ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ କାଣ୍ଡେଲ ପେକ୍ସ ସମ୍ପାଦକ ଯଶୋବନ୍ତ ବାଗଙ୍କୁ ପଚାରିବାରୁ ଦିନେ ଦୁଇ ଦିନ ମଧ୍ୟରେ ଉଠିବ ବୋଲି କହିଛନ୍ତି ।