ଛତ୍ରପୁର,୧୨।୧(ଦିଲ୍ଲୀପ ସାମଲ): ଧାନ ମଣ୍ଡିରେ ଅଚଳବସ୍ଥା। ଧାନମଣ୍ଡି ଖୋଲାଯାଇଛି ସତ ମାତ୍ର ହେଲେ ମିଲର ଧାନ ନେଉନି । ପୂର୍ବ ସରକାର ଅପେକ୍ଷା ଅଧିକ କଟନୀ ଛଟନୀ ହେଉଛି। ଏଭଳି ଅଭିଯୋଗ କରି ଛତ୍ରପୁର ଉପଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗ୍ରାମର ଶତାଧିକ ଚାଷୀ । ମିଲରମାନେ ଚାଷୀଙ୍କୁ ସହଯୋଗ କରିବା ବଦଳରେ ତାଙ୍କ ଉପରେ ଦାଉ ସାଧିଛନ୍ତି।ବିନା କଟନୀ ଛଟନୀରେ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୂର୍ବ ସରକାର ଅପେକ୍ଷା ଏବେ ଅଧିକ କଟନୀ ଛଟନୀ ହେଉଛି ବୋଲି କହିଛନ୍ତି ବହୁ ଚାଷୀ। ସୁତା ଅଖାରେ ଆଣିଲେ ୭ କେଜି ଏବଂ ଜରି ଅଖାରେ ଆଣିଲେ ୧୦ କେଜି ଧାନ ଅଧିକ ଦେବାକୁ କୁହାଯାଉଛି। ନିୟମ ଠାରୁ ଅଧିକ ଧାନ ଦେଲେ ହିଁ ମିଲର ଚାଷୀଙ୍କ ଠାରୁ ଧାନ ନେବେ ବୋଲି କହୁଛନ୍ତି । ନଚେତ ନାହିଁ । ଏ ନେଇ ଚାଷୀମାନେ ହିଞ୍ଜିଳି ଏମଆଇଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇନାହିଁ ବୋଲି ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି । ମିଲର ଏବଂ ଯୋଗାଣ ବିଭାଗର ସମନ୍ବୟ ରହୁନି ଯାହାଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ଚାଷୀଙ୍କ ସମସ୍ତ ଧାନ ମଣ୍ଡିରେ କିପରି ସୁରୁଖୁରୁରେ କିଣା ଯିବ ସେମାନଙ୍କ ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଚାଷୀମାନେ ଦାବି କରିଛନ୍ତି । ଏନେଇ ଏକ ଲିଖିତ ଦାବିପତ୍ର ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ନଚେତ ଆଗାମୀ ଦିନରେ ମଣ୍ଡି ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯିବ ବୋଲି ସେମାନେ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ମଳୟ କୁମାର ଦାଶ, ହରିକୃଷ୍ଣ ମୁନି, ଗଙ୍ଗାରାମ ପଣ୍ଡାଙ୍କ ସମେତ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily