ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ ଖରିଫ୍‌ ଧାନ ବିକ୍ରି ନ ହୋଇ ପଡ଼ି ରହିଛି। ଏଥିରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ସହରାଟିକ୍ରାସ୍ଥିତ ଆଦର୍ଶ ବଜାର(ମୋଡେଲ ମାର୍କେଟ୍‌) ମଧ୍ୟ ବାଦ୍‌ ପଡ଼ି ନାହିଁ। ଏଠାରେ କେବଳ ୨୫ହଜାରରୁ ୩୦ହଜାର ପ୍ୟାକେଟ୍‌ ପର୍ଯ୍ୟନ୍ତ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଅଞ୍ଚଳର ଚାଷୀମାନେ କହିଛନ୍ତି। ତେବେ ଏହା ସରକାରୀ କଳ କିମ୍ବା ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଜଣା ଅଛପା ହୋଇ ରହି ନାହିଁ। ଏହି ଧାନ ଉଠାଇବା ପାଇଁ ଚାଷୀମାନେ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲାପାଳ ଏବଂ ସ୍ଥାନୀୟ ବିଧାୟକ, ଏମପିଙ୍କଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି। କିଛି ସୁଫଳ ନ ମିଳିବାରୁ ଗତ ମାର୍ଚ୍ଚ ୫ତାରିଖରୁ ଅଞ୍ଚଳର ଚାଷୀମାନେ ନିଜ କାମଧନ୍ଦା ଛାଡ଼ି ବାଇକ୍‌ ଯୋଗେ ଧାନ ଆଣି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିବା ସହିତ ଦିନରାତି ଧାରଣାରେ ବସିଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ଧାନ ମଣ୍ଡିରୁ ଉଠିବା ତ ଦୂରର କଥା, ଧାରଣାସ୍ଥଳକୁ ଚାଷୀଙ୍କ ସହିତ ଆଲୋଚନା ପାଇଁ ସୁଦ୍ଧା ଅଞ୍ଚଳର ଜନ ପ୍ରତିନିଧି ନ ପହଞ୍ଚିବା ଏବଂ ଜିଲା ପ୍ରଶାସନ ମଧ୍ୟ ଅସହାୟ ହୋଇ ପଡ଼ିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ଥରକୁ ଥର ବର୍ଷା ମାଡ଼ି ଆସୁ ଥିବାରୁ ବିକ୍ରି ଅପେକ୍ଷାରେ ମଣ୍ଡିରେ ପଡ଼ିଥିବା ଧାନର ସୁରକ୍ଷା ନେଇ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ପ୍ରତିବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଧାନବିକ୍ରି ପଞ୍ଜୀକରଣ ହୋଇଥାଏ। ଏହି କ୍ରମରେ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଗ୍ରାମ ବହଲପାଲି, ଦେହେରୀପାଲି, ସହରାଟିକ୍ରା, ଦେକୁଲବା, ପିପିଲିପାଲି ଆଦି ଗ୍ରାମର ଚାଷୀମାନେ ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ଆବଶ୍ୟକ କାଗଜାତ ଦାଖଲ କରି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ମାତ୍ର ସରକାରୀ କଳର ଅବହେଳା ଯୋଗୁ ଅଞ୍ଚଳର ଅନେକ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି ଏବଂ ସେଥିପାଇଁ ଏବେ ଏଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ତେବେ ପଞ୍ଜୀକରଣ ତାଲିକାରୁ ସେମାନେ ବାଦ୍‌ ପଡ଼ିଥିବା ଜାଣିବା ପରଠାରୁ ତା’ର ସମାଧନ ପାଇଁ ଜିଲାପାଳ, ସ୍ଥାନୀୟ ଜନ ପ୍ରତିନିଧି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇ ଆସିଛନ୍ତି। ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ସ୍ଥାନୀୟ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ତା’ର ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିପରି ଜିଲାରେ ଚାଷୀଙ୍କ ଏଭଳି ସମସ୍ୟାକୁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସ୍ବୀକାର କରି ବିଧାନସଭାରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ହେଲେ ଫଳ ଶୂନ। ଅନ୍ୟପଟେ କେତେବେଳେ ପୋଲିସ ହକ୍‌ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀଙ୍କୁ ଉଠାଇ ନେଉଛି ତ ଆଉକେବେ ଜିଲାପାଳଙ୍କ ଅଫିସରେ ପ୍ରତିବାଦ ସ୍ବରୂପ ଚାଷୀମାନେ ଗଦା କରିଥିବା ଧାନକୁ ଗାଏବ୍‌ କରି ଦିଆଯିବା ଭଳି ଘଟଣା ଘଟିଛି।
ତେବେ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ, ଗତ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାର ଅବଧି ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଅବଧିକୁ ଏପ୍ରିଲ ମାସ ୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ପାଇବା ପରେ ସେମାନଙ୍କ ଧାନ କିଣାଯିବା ନେଇ ଚାଷୀଙ୍କ ମନରେ ଆଶା, ଉନ୍ମାଦନା ଦେଖାଯାଇଥିଲା। କିନ୍ତୁ ଏହି ଅବଧି ସରିବାକୁ ଆଉମାତ୍ର ୨ ଦିନ ବାକିଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ଧାନ ଉଠାଯିବା ନେଇ ବିଭାଗୀୟ ସ୍ତରରେ କିଛି ତପତ୍ରତା ପ୍ରକାଶ ପାଇ ନ ଥିବା ଯୋଗୁ ଚାଷୀମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଅପରପକ୍ଷେ ଯେତେଦିନ ପର୍ଯ୍ୟନ୍ତ ବିକ୍ରି ଅପେକ୍ଷାରେ ରହିଥିବା ଧାନକୁ ଉଠା ନ ଯିବ, ସେତେଦିନ ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily