ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ ପାଇ ମଣ୍ଡିରେ ଧାନ ବିକି ନ ପାରି ପ୍ରତିବାଦ ସ୍ବରୂପ ରବିବାର ଶତାଧିକ ଚାଷୀ ୧୬ନଂ. ଜାତୀୟ ରାଜପଥ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଖନ୍ତାପଡ଼ା ସମିତି ସଭାପତି ଦିଲ୍ଲୀପ ଦାସ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କ ସହ କଥା ହୋଇ ୨୪ ଘଣ୍ଟା ମଧ୍ୟରେ ଧାନ କିଣା ହେବ ଓ ଯେଉଁ ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବ ସେମାନଙ୍କୁ ଆଉଥରେ ଟୋକନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
ସୂଚନା ଅନୁଯାୟୀ, ଖନ୍ତାପଡ଼ା ସମିତିକୁ ଖରିଫ ଧାନ କିଣିବାପାଇଁ ସରକାର ୪୦ ହଜାର କୁଇଣ୍ଟାଲ ଟାର୍ଗେଟର ଟୋକନ ଦେଇଥିଲେ। ସେଥିମଧ୍ୟରୁ ୩୦ ହଜାର କୁଇଣ୍ଟାଲ ଧାନ କିଣା ସରିଛି। ଆଉ ସାଢେ ୬ ହଜାର କୁଇଣ୍ଟାଲ ଧାନ କିଣି ସମିତି ଗୋଦାମରେ ଗଛିତ ରଖିଥିଲେ ମଧ୍ୟ ତାହାକୁ କୌଣସି ମିଲର ନେଉନାହାନ୍ତି। ୨ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଘରେ ପଡ଼ିରହିଥିଲେ ମଧ୍ୟ ଆଉ ଧାନ କିଣା ହେଉନି। ଅନ୍ୟପଟେ କେତେଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଗଲାଣି। ଏହାର ପ୍ରତିବାଦରେ ଖନ୍ତାପଡ଼ା ସେବା ସମବାୟ ସମିତି ଅଧୀନରେ ଥିବା ଚକଜଗନ୍ନାଥପୁର, କଷପାଜୟପୁର, ଖନ୍ତାପଡ଼ା ଆଦିି ୩ଟି ପଞ୍ଚାୟତର ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ତୁରନ୍ତ ସରକାର ଚାଷୀଙ୍କ ଧାନ କିଣନ୍ତୁ ଓ ଲାପ୍ସ ଟୋକନ ଫେରସ୍ତ କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ଆନ୍ଦୋଳନସ୍ଥଳରେ ଖନ୍ତାପଡ଼ା ଥାନା ପୋଲିସ ପହଞ୍ଚି ଚାଷୀମାନଙ୍କୁ ବୁଝାଶୁୁଝା କରିଥିଲା।
ସେହିପରି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଜାମଯୋଡ଼ି ଓ ଅମୃତପୁର ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ସକାଳ ୮ଟା ବେଳେ ଗଦି ବଜାରରେ ଧାନବସ୍ତା ରଖି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ, ଟାର୍ଗେଟ ନ ଥିବାରୁ ସମିତି କର୍ତ୍ତୃପକ୍ଷ ଧାନ କିଣା ବନ୍ଦ କରି ଦେଇଛନ୍ତି। ଫଳରେ ଜାମଯୋଡ଼ି ସମିତି ମଣ୍ଡିରେ ୧୫୬ ଏବଂ ଅମୃତପୁର ସମିତି ମଣ୍ଡିରେ ୧୦୧ଜଣ ଚାଷୀ ଧାନ ବିକିପାରି ନାହାନ୍ତି। ଜାମଯୋଡ଼ି ମଣ୍ଡିକୁ ୬୪୦୦ ଏବଂ ଅମୃତପୁର ମଣ୍ଡିକୁ ୧୯୯୬ କୁଇଣ୍ଟାଲ ଟାର୍ଗେଟ ପାଇଁ ସେମାନେ ଦାବି କରିଥିଲେ। ଏହାବ୍ୟତୀତ ଜାମଯୋଡ଼ି ମଣ୍ଡିରେ ୮୦୦୦ କୁଇଣ୍ଟାଲ ଏବଂ ଅମୃତପୁର ମଣ୍ଡିରେ ୭୦୦୦ କୁଇଣ୍ଟାଲ ଧାନବସ୍ତା ପଡ଼ିରହିଛି। ମିଲରମାନେ ମଣ୍ଡିରୁ ଧାନବସ୍ତା ଉଠାଉ ନ ଥିବାରୁ ବର୍ଷା ଖାଇ ଧାନ ଗଜା ମାରିଲାଣି। ଅପରପକ୍ଷେ ଧାନ ବିକିଥିବା ବହୁ ଚାଷୀ ଅଦ୍ୟାବଧି ପ୍ରାପ୍ୟ ପାଇନାହାନ୍ତି। ଅତିରିକ୍ତ ତହସିଲଦାର ନମିତା ଧଳ ଓ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଚାଷୀମାନେ ସମିତିକୁ ଟାର୍ଗେଟ୍ ଦିଆଯାଉ ବୋଲି ଦାବି କରିଥିଲେ। ପରେ ଅଧିକାରୀମାନେ ଜିଲାପାଳ ଦିଲୀପ ରାଉତରାଏଙ୍କ ସହ ଫୋନ୍ରେ କଥା ହୋଇ ସମିତିକୁ ଟାର୍ଗେଟ୍ ଦିଆଯାଇ ଚାଷୀଙ୍କ ସବୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଟାର୍ଗେଟ ଦିଆଯାଉ ଦାବି କରି ଚାଷୀମାନେ ଆନ୍ଦୋଳନ ଅବ୍ୟାହତ ରଖିଥିଲେ। ପରେ ବିଡିଓ ନିରଞ୍ଜନ ବାରିକ ପହଞ୍ଚତ୍ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ସନ୍ଧ୍ୟାରେ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ ପହଞ୍ଚି ୨ ସମିତିକୁ ଅଧିକ ଟାର୍ଗେଟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଅମୃତପୁର ସମିତି ସଭାପତି ବିଜୟ କୁମାର ରାଉତ ଏବଂ ଜାମଯୋଡ଼ି ସମିତି ସଭାପତି ଅର୍ଜୁନ ଚରଣ ନାୟକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ।
ଅନୁରୂପ ଭାବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ସରସଦା ଶିରିଡ଼ି ସାଇ ସ୍ବୟଂସହାୟକ ଗୋଷ୍ଠି ମଣ୍ଡିରେ ଧାନ ବିକ୍ରି ଅପେକ୍ଷାରେ ଥିବା ଚାଷୀମାନେ ରବିବାର ପୂର୍ବାହ୍ନରେ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତା ଅବରୋଧ କରିଥିଲେ। ୩୮୦୦୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ମଣ୍ଡିକୁ ଟାର୍ଗେଟ ମିଳିଥିବାବେଳେ ୩୩୦୦୦ କୁଇଣ୍ଟାଲ କିଣାସରିଛି। ଆଉ ୧୦୯ ଚାଷୀ ୫୧୦୦ କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି। ହେଲେ ମଣ୍ଡିକୁ ଅଧିକ ଟାର୍ଗେଟ ମିଳିନାହିଁ। ୨ ଦିନ ଅତିକ୍ରମ କରିଗଲେ ଆଉ ଧାନ ବିକିବା ସମ୍ଭବ ହେବ ନାହିଁ ବୋଲି ଆଶଙ୍କା କରି ଶତାଧିକ ଚାଷୀ ମଣ୍ଡି ସମ୍ମୁଖ ରାସ୍ତା ଉପରେ ଧାନବସ୍ତା ରଖି ବସି ରହିଥିଲେ। ଅତିରିକ୍ତ ତହସିଲଦାର ନୀହାର ରଞ୍ଜନ ମଲ୍ଲିକ, ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ହିମାଂଶୁ ଦାସ ଓ ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିଥିଲେ। ସୋମବାର ମଧ୍ୟାହ୍ନ ସୁଦ୍ଧା ଚାଷୀଙ୍କ ଧାନକିଣା ନିଷ୍ପତ୍ତି ହେବ ବୋଲି ପ୍ରଶାସନିକ ପ୍ରତିଶ୍ରୁତି ମିଳିବା ପରେ ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ସ୍ଥଗିତ ରଖାଯାଇଛି।