ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ଏକ ଛତା ସଦୃଶ ଆମ ଜୀବମଣ୍ଡଳକୁ ସୁରକ୍ଷା ପ୍ରଦାନ କରିଥାଏ। ଆମ ସୌରମଣ୍ଡଳର ଅନ୍ୟ କୌଣସି ଜୀବନୋପଯୋଗୀ ପିଣ୍ଡ ଯଥା ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରରେ ଓଜୋନ ମଣ୍ଡଳ ନ ଥିବାରୁ ସେଠାରେ ଜୀବନ ଧାରଣ ଅସମ୍ଭବ। ଅନ୍ତରୀକ୍ଷରୁ ସମୁଦାୟ ତିନି ପ୍ରକାରର ଅତିବାଇଗଣି ରଶ୍ମି ପୃଥିବୀରେ ଆପତିତ ହୋଇଥାଏ। ସେଥିମଧ୍ୟରୁ ସବୁଠାରୁ ମାରାତ୍ମକ ଏବଂ କ୍ଷତିକାରକ ରଶ୍ମି ହେଉଛି ଅତିବାଇଗଣି ରଶ୍ମି ‘ଖ’। ଏହାର ତରଙ୍ଗ ଦୈର୍ଘ୍ୟ ପରିସର ହେଉଛି ୨୮୦ରୁ ୩୧୫ ନାନୋମିଟର। ଏହା ପ୍ରାଣୀ ଶରୀରର ଜୀବନ୍ତ କୋଷର ଡିଏନ୍‌ଏ (ଯାହା ଜୀବର ସମସ୍ତ ଗୁଣାବଳୀର ବାହକ)କୁ ନଷ୍ଟ କରିଦେବା ସହିତ ଚର୍ମରେ ‘ମେଲାନୋମା’ କର୍କଟ ରୋଗ ଏବଂ ଚକ୍ଷୁରେ ମୋତିଆବିନ୍ଦୁ ରୋଗ ସୃଷ୍ଟି କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ। ଏହା ମଧ୍ୟ ଉଦ୍ଭିଦରେ ଅଭିବୃଦ୍ଧି ହାର ତଥା ଫୁଲ ଓ ଫଳ ଧରିବାର ଧାରାକୁ ଗୁରୁତର ପ୍ରଭାବିତ କରିଥାଏ। ଏହାର କୁପ୍ରଭାବ କେବଳ ସ୍ଥଳଭାଗରେ ସୀମିତ ନୁହେଁ, ଏହା ସମୁଦ୍ରରେ ସାମୁଦ୍ରିକ ଖାଦ୍ୟଶୃଙ୍ଖଳର ମୂଳାଧାର ଫାଇଟୋପ୍ଲାଙ୍କଟନ ଅଣୁଜୀବକୁ ମଧ୍ୟ ନଷ୍ଟ କରିଥାଏ। ମାତ୍ର ଆମ ବାୟୁମଣ୍ଡଳରେ ଥିବା ଓଜୋନ ସ୍ତର ଏକ କବଚ ସଦୃଶ। ଏହି ଅତି-ମାରାତ୍ମକ ରଶ୍ମିକୁ ଶୋଷିନେଇ ସମଗ୍ର ଜୀବଜଗତକୁ ରକ୍ଷା କରିଥାଏ। ସୁତରାଂ ଆମ ବାୟୁମଣ୍ଡଳରେ ଓଜୋନ ସ୍ତରର ଉପସ୍ଥିତି ଆମ ପାଇଁ ପ୍ରକୃତିର ଏକ ବରଦାନ ସଦୃଶ।
‘ବିଶ୍ବ ପାଇଁ ଚିନ୍ତନ, ସ୍ଥାନୀୟ ଭାବେ ଉଦ୍ୟମ’ ଆମର ମୂଳମନ୍ତ୍ର ହେବା ଉଚିତ। ସୁତରାଂ ଆମ ପୃଥିବୀରେ ଓଜୋନ ସ୍ତରର ମହତ୍ତ୍ୱ, ମନୁଷ୍ୟକୃତ କାର୍ଯ୍ୟକଳାପ ଦ୍ୱାରା ଏହାର ବିନଷ୍ଟ ତଥା ଏହି ଧାରାରେ ପରିବର୍ତ୍ତନ ଆଣି ଓଜୋନ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ରୂପେ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ଓଜୋନ ଦିବସ ପାଳନର ବିଷୟ ହେଉଛି, ‘ମଣ୍ଟ୍ରିଲ ରାଜିନାମା: ଜଳବାୟୁ ନିମନ୍ତେ କାର୍ଯ୍ୟକ୍ରମର ଆହ୍ବାନ’। ଓଜୋନ ସ୍ତରର ସୁରକ୍ଷା ନିମନ୍ତେ ବୈଶ୍ବିକ କ୍ଷେତ୍ରରେ ମଣ୍ଟ୍ରିଲ ରାଜିନାମା ଏକ ସର୍ବପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ଏହି ରାଜିନାମାର ସୁପାରିସ ଅନୁସାରେ କାର୍ଯ୍ୟକରି ଅବକ୍ଷୟମୁଖୀ ଓଜୋନ ସ୍ତରର ସୁରକ୍ଷା ସାଙ୍ଗକୁ ଆମ ପରିବର୍ତ୍ତନଶୀଳ ଜଳବାୟୁର ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।
ଆମ ବାୟୁମଣ୍ଡଳର ନିମ୍ନ ଷ୍ଟ୍ରାଟୋମଣ୍ଡଳରେ ଭୂପୃଷ୍ଠରୁ ପ୍ରାୟ ୧୫ ରୁ ୩୫ କି.ମି. ଉଚ୍ଚତାରେ ଏହି ଓଜୋନ ମଣ୍ଡଳ ଅବସ୍ଥିତ। ଏହି ମଣ୍ଡଳ ମୁଖ୍ୟତଃ ଓଜୋନ ଗ୍ୟାସ୍‌ରେ ଗଢ଼ା। ଏହାର ହାରାହାରି ମୋଟେଇ ଡବସନ ମାପକ ପଦ୍ଧତିରେ ମାତ୍ର ୩ ମିଲିମିଟର। ଏହି ମୂଲ୍ୟ ସର୍ବଦା ସ୍ଥିର ନ ରହି ଋତୁ ଅନୁସାରେ କମ୍‌ ବେଶି ହୋଇଥାଏ। ଓଜୋନ ଏକ ଈଷତ୍‌ ନୀଳବର୍ଣ୍ଣର ତଥା ତୀବ୍ର ଗନ୍ଧଯୁକ୍ତ ଗ୍ୟାସ୍‌। ଏହା ଜଳରେ ସାମାନ୍ୟ ମାତ୍ରାରେ ଦ୍ରବଣୀୟ। ଏହି ଗ୍ୟାସ୍‌କୁ ୧୮୪୦ ମସିହାରେ ଜଣେ ଜର୍ମାନୀ ରସାୟନବିତ୍‌ ଖ୍ରୀଷ୍ଟିଆନ ଫ୍ରେଡରିକ ସ୍କୋନବିନ ଆବିଷ୍କାର କରିଥିଲେ। ଏହା ସାଧାରଣତଃ ଏକ ବିଷାକ୍ତ ଗ୍ୟାସ୍‌ ଏବଂ ଭୂପୃଷ୍ଠରେ ଏକ ବାୟୁ ପ୍ରଦୂଷକ ପଦାର୍ଥ ରୂପେ ଜଣା। ଏହାକୁ ପାନୀୟଜଳ ବୋତଲ ପ୍ରସ୍ତୁତିରେ ଏବଂ ଜଳକୁ ଜୀବାଣୁମୁକ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଭୂପୃଷ୍ଠରେ ଏକ ବିଷାକ୍ତ ଗ୍ୟାସ୍‌ ହୋଇଥିଲା ବେଳେ ଊର୍ଦ୍ଧ୍ୱ ବାୟୁମଣ୍ଡଳରେ କିନ୍ତୁ ଆମ ପାଇଁ ଏକ ବରଦାନ ସଦୃଶ କାର୍ଯ୍ୟ କରେ। ସେଠାରେ, ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣି ରଶ୍ମିର ପ୍ରଭାବରେ ଅମ୍ଳଜାନର ଅଣୁ ଭାଙ୍ଗିଯାଇ ଅମ୍ଳଜାନର ପରମାଣୁରେ ପରିଣତ ହୁଏ। ଏହି ଅମ୍ଳଜାନର ପରମାଣୁ ଅମ୍ଳଜାନର ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ଓଜୋନର ଅଣୁ ଗଠନ କରେ। ଏକ ଓଜୋନ ଅଣୁର ଆଣବିକ ବସ୍ତୁତ୍ୱ ହେଉଛି ୪୮, ଯାହା ଗୋଟିଏ ଅମ୍ଳଜାନର ଅଣୁଠାରୁ ପ୍ରାୟ ଦେଢ଼ ଗୁଣ ଭାରି। କୌଣସି ଅମ୍ଳଜାନର ଅଣୁରେ ଦୁଇଟି ପରମାଣୁ ରହିଥିଲାବେଳେ ଗୋଟିଏ ଓଜୋନ ଅଣୁ ଅମ୍ଳଜାନର ସମୁଦାୟ ତିନୋଟି ପରମାଣୁରେ ଗଢ଼ା। ମାତ୍ର ଘୋର ପରିତାପର ବିଷୟ ଯେ, କିଛି ମନୁଷ୍ୟକୃତ କାର୍ଯ୍ୟକଳାପ ଯୋଗୁ ଆମର ଏହି ରକ୍ଷାକାରୀ କବଚ ଓଜୋନ ମଣ୍ଡଳ ଏବେ କ୍ଷତିଗ୍ରସ୍ତ ହୋଇ ଏହାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଓଜୋନ ନଷ୍ଟ ହୋଇଗଲାଣି କିମ୍ବା ଓଜୋନ ସ୍ତର ପତଳା ହୋଇ ଗଲାଣି। ଏହାକୁ ‘ଓଜୋନ ସ୍ତରରେ ଛିଦ୍ର’ ବୋଲି କୁହାଯାଉଛି। ଓଜୋନ ସ୍ତରରେ ଏହିଭଳି ଏକ ବିଶାଳ ଛିଦ୍ର ଗତ ୧୯୮୫ ମସିହାରେ ଦଳେ ବ୍ରିଟିଶ ବୈଜ୍ଞାନିକ ଆଣ୍ଟାର୍କଟିକା ମହାଦେଶ ଉପରେ ଆବିଷ୍କାର କରିଥିଲେ। ଫଳରେ ଏଭଳି ଛିଦ୍ର ଦେଇ ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମି ସିଧାସଳଖ ଆମ ଜୀବମଣ୍ଡଳରେ ପ୍ରବେଶ କରି ଜୀବଜଗତର ଘୋର କ୍ଷତି ସାଧନ କରୁଛି। ଏହାର ପରିଣାମ ସ୍ବରୂପ, ବିଶ୍ୱରେ ବିଗତ ଦିନମାନଙ୍କରେ ଚର୍ମକର୍କଟ ଓ ମୋତିଆବିନ୍ଦୁ ରୋଗର ପ୍ରାଦୁର୍ଭାବ ବଢ଼ିଛି। ଓଜୋନ ସ୍ତରର ଏଭଳି କ୍ଷୟକ୍ଷତି ପାଇଁ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଫ୍ରିଜ୍‌, ଏୟାର କଣ୍ଡିଶନର ଇତ୍ୟାଦି ଉପକରଣରେ ବ୍ୟବହୃତ ‘କ୍ଲୋରୋଫ୍ଲୋରୋକାର୍ବନ’ ନାମକ ଏକ ପଦାର୍ଥ ମୁଖ୍ୟତଃ ଦାୟୀ। ଏହି ପଦାର୍ଥକୁ ମଧ୍ୟ ବଡି ଡିଓଡୋରାଣ୍ଟ ଭଳି ଏରୋସଲ ସ୍ପ୍ରେ ଇତ୍ୟାଦିରେ ଗ୍ୟାସୀୟ ପଦାର୍ଥକୁ ଠେଲି ପଦାକୁ ନିର୍ଗତ କରିବା ପାଇଁ ‘ପ୍ରପ୍ଲୋଣ୍ଟ’ ରୂପରେ ବ୍ୟବହାର କରାଯାଏ। ଏହାଛଡ଼ା ଅଗ୍ନି ନିର୍ବାପକ ଯନ୍ତ୍ରରେ ବ୍ୟବହାର କରାଯାଉଥିବା ହ୍ୟାଲୋନ ନାମକ ଏକ ପଦାର୍ଥ ତଥା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଦ୍ରାବକ ରୂପେ ବ୍ୟବହାର କରାଯାଉଥିବା କାର୍ବନ ଟେଟ୍ରାକ୍ଲୋରାଇଡ ପଦାର୍ଥ ମଧ୍ୟ ଓଜୋନ ସ୍ତରରେ କ୍ଷତି ପହଞ୍ଚାଇପାରେ। ଏଭଳି ସମସ୍ତ ପଦାର୍ଥକୁ ‘ଓଜୋନ ନଷ୍ଟକାରୀ ପଦାର୍ଥ’ ବୋଲି କୁହାଯାଏ।
ଏହି ପଦାର୍ଥସବୁ ମେରୁ ଅଞ୍ଚଳର ପବନର ଭଉଁରୀରେ ଘୂରି ଘୂରି ଊର୍ଦ୍ଧ୍ୱକୁ ଉଠି ନିମ୍ନ ଷ୍ଟ୍ରାଟୋମଣ୍ଡଳରେ ଥିବା ଓଜୋନ ସ୍ତର ସହିତ ମିଳିତ ହୋଇଥାଏ। ଏହା ସେଠାରେ ପଡୁଥିବା ତୀବ୍ର ଅତିବାଇଗଣି ରଶ୍ମିର ପ୍ରଭାବରେ ବିଭାଜିତ ହୋଇ କ୍ଲୋରିନର ମୁକ୍ତମୂଳକ (Free Chlorine radical) ନିର୍ଗତ କରେ। କ୍ଲୋରିନର ଗୋଟିଏ ମୁକ୍ତମୂଳକ ଓଜୋନର ଏକ ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ଓଜୋନ ଅଣୁକୁ ଅମ୍ଳଜାନର ଅଣୁରେ ପରିଣତ କରେ। ଏହିପରି ଭାବରେ ଓଜୋନ ସ୍ତରରେ ଓଜୋନ କ୍ଷୟ ଘଟିଥାଏ। ଏହି ପ୍ରକ୍ରିୟାରେ କ୍ଲୋରିନର ମୁକ୍ତମୂଳକଟି ବିନଷ୍ଟ ନ ହୋଇ ପୁଣି ନିର୍ଗତ ହୋଇ ଏକ କ୍ଷୁଧିତ ଦାନବ ସଦୃଶ ଅନ୍ୟ ଏକ ଓଜୋନ ଅଣୁକୁ ଆକ୍ରମଣ କରି ନଷ୍ଟ କରିଥାଏ। ହିସାବରୁ ଦେଖାଯାଇଛି ଯେ, କ୍ଲୋରିନର ଗୋଟିଏ ମୁକ୍ତମୂଳକ ଷ୍ଟ୍ରାଟୋମଣ୍ଡଳରେ ନିଜର ଦୀର୍ଘ ଜୀବନକାଳ ମଧ୍ୟରେ ପ୍ରାୟ ୧ ଲକ୍ଷ ଓଜୋନ ଅଣୁକୁ ଆକ୍ରମଣ କରି ନଷ୍ଟ କରିଥାଏ।
ତେବେ ପ୍ରତିକାର କ’ଣ? ଆମକୁ ଆମ ପୃଥିବୀରେ ଜୀବଜଗତର ସୁରକ୍ଷା ଦୃଷ୍ଟିକୋଣରୁ ଆମର ପ୍ରାକୃତିକ ରକ୍ଷାକବଚ ଓଜୋନ ସ୍ତରର ସୁରକ୍ଷା କରିବାକୁ ପଡ଼ିବ। ଆମକୁ ଦୈନନ୍ଦିନ ଜୀବନରେ ଓଜୋନ ନଷ୍ଟକାରୀ ପଦାର୍ଥର ବ୍ୟବହାରକୁ ହ୍ରାସ କରିବା ସହିତ ସେଗୁଡ଼ିକ ବ୍ୟବହୃତ ହେଉଥିବା ଫ୍ରିଜ୍‌, ଏସି, ବଡି ସ୍ପ୍ରେ ଭଳି ଆରାମଦାୟକ ତଥା ବିଳାସପୂର୍ଣ୍ଣ ଉପକରଣ ଓ ସାମଗ୍ରୀର ବ୍ୟବହାରକୁ ମଧ୍ୟ ସୀମିତ କରିବାକୁ ପଡ଼ିବ। ବ୍ୟକ୍ତିସ୍ତରର ଛୋଟିଆ ଛୋଟିଆ ପଦକ୍ଷେପ ଦ୍ୱାରା ସାମୂହିକ ସ୍ତରରେ ବିଶାଳ ଯୋଗଦାନ ଘଟି ଓଜୋନ ସୁରକ୍ଷା ଦିଗରେ ଆଖିଦୃଶିଆ ଏକ ବିପ୍ଳବ ସୃଷ୍ଟି କରିହେବ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri