ଭୁବନେଶ୍ୱର,୭।୨: ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ । କଳାକାରଙ୍କୁ ନିର୍ଯାତନା ଦେଉଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଗ୍ରୀନରୁମରେ ଅଭିନେତାଙ୍କୁ ଧମକଚମକ ଦେଉଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ତୁଳସୀ ଗଣନାଟ୍ୟରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସାଇ ସତ୍ୟଜିତ୍ ପଣ୍ଡାଙ୍କ ମା’ ପଦ୍ମିନୀ ଦାଶ । ଏନେଇ ସେ ଭୁବନେଶ୍ବର ଉପକଣ୍ଠ ବାଲିପଟଣା ଥାନାରେ ଏତଲା ଦେଇଥିଲ।
ତୁଳସୀ ଗଣନାଟ୍ୟ ପ୍ରଯୋଜକ ନାଣ୍ଡୁ ଧଳଙ୍କ ନାଁରେ ପୁଣି ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ବର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି। ଚୁକ୍ତି ମୁତାବକ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରୁ ନ ଥିବା ଅଭିଯୋଗ ହୋଇଛି।
ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ
ମା’ଙ୍କ ଅଭିଯୋଗ ଅନୁଯାୟୀ, ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ତାଙ୍କ ପୁଅ ଖଳନାୟକ ସାଇ ସତ୍ୟଜିତଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ୫ରୁ ୬ଦିନ ହେଲା ଗୁଣ୍ଡା ଲଗାଇ ଧମକଚମକ ଦେଉଛନ୍ତି । ଯାତ୍ରା ଚଲୁଥିବା ବେଳେ ଗ୍ରୀନ ରୁମକୁ ଆସି କାମ କରାଇ ଦେଉନାହାନ୍ତି । ଗୁରୁବାର ମାନସିକ ଚାପ ସହି ନପାରି ସାଇ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସାଥି କଳାକାରମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରିବାର ଲୋକ ସକାଳୁ ଖବର ଜାଣିବା ପରେ ପୁଅକୁ ଖଣ୍ଡଗିରିରୁ ଆଣିଛନ୍ତି । ଏତେ ବଡ଼ ଘଟଣା ଘଟିଯିବା ପରେ ମଧ୍ୟ ଯାତ୍ରା ପାର୍ଟି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ମା’ ପଦ୍ମିନୀ ଦାଶ ଏତଲାରେ ଅଭିଯୋଗ କରିଛନ୍ତି ।