ଓଲଟିଲା ଯାତ୍ରାପାର୍ଟି ବସ୍‌, ଗୁରୁତର ହୋଇ ୧୫ କଳାକାର ଜିଲା ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗା ପଥର ଗ୍ରାମ ନିକଟସ୍ଥ ଗୁରୁଲିଆ ଘାଟିରେ ଏକ ଯାତ୍ରପାର୍ଟି ବସ୍‌ ଓଲଟି ପଡ଼ିବାରୁ ବସର ଚାଳକ ଓ କଳାକାରଙ୍କ ସମେତ ମୋଟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କଂସର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ଥିବା ୧୫ ଜଣଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ ସେମାନେ ଏବେ ମଧ୍ୟ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଗୁରୁତରମାନେ ହେଲେ ବାଲେଶ୍ୱର ଜିଲା ବାଲିଆପାଳର କାହ୍ନୁ ମଣ୍ଡଳ(୩୪),ମୟୁରଭଞ୍ଜ ଜିଲା ଶୋରିଷକୋଠାର ଶରତ ବେହେରା(୪୦), ମୟୂରଭଞ୍ଜ ଜିଲା ଦେଓପଡ଼ାର ଈଶ୍ୱର ଚନ୍ଦ୍ର ପରିଡ଼ା(୭୩), ଯାଜପୁର ଜିଲା କରିମାବାଦର ଚନ୍ଦ୍ରମଣି ଜେନା(୪୫) ବାଲେଶ୍ୱର ଜିଲା ଖଇରାର ବିମଳା ପଣ୍ଡା(୩୨), ମୟୂରଭଞ୍ଜ ଜିଲା କପ୍ତିପଦାର ଝରଣା ମାଝୀ, ବାଲେଶ୍ୱର ଜିଲା ବରଦାର ମାନସ ପତି(୨୬), ବାଲେଶ୍ୱର ଜିଲା କୁପାରୀର କରିଶ୍ମା ଦେହୁରୀ(୧୯) ଓ ମିନୁଦେହୁରୀ(୧୮), ମୟୂରଭଞ୍ଜ ଜିଲା ନିଶ୍ଚିନ୍ତପୁର ଗ୍ରାମର ମୁନା ସିଂ(୨୪), ବାଲେଶ୍ୱର ଜିଲା କୁପାରୀର ଗଙ୍ଗା ଦେହୁରୀ(୧୫), ବାଲେଶ୍ୱର ଜିଲା ବସ୍ତାର ଲକ୍ଷ୍ମୀପ୍ରିୟା ନାୟକ(୪୫), ବାଲେଶ୍ୱର ଜିଲା ଚନ୍ଦନେଶ୍ୱରର ରିମା ସିଂ(୩୭), କେନ୍ଦୁଝର ଜିଲା ଶଙ୍ଖଦପଡିଆର ଆକାଶ ନାୟକ(୨୩) ଓ ବାଲେଶ୍ୱର ଜିଲା କଳମ୍ବଚୁଆ ଗ୍ରାମର ଭବାନୀ ପାତ୍ର(୨୩) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତ୍ରୀରେ ତିଲେଇବଣି ବ୍ଲକ ସଡୋ ପଞ୍ଚାୟତର ଡଙ୍ଗା ପଥର ଗ୍ରାମରେ ଗାଁ ଯାତ୍ରା ଅବସରରେ ଉକ୍ତ ଗ୍ରାମରେ ରବିବାର ରାତିରେ ବାଲେଶ୍ୱର ଜିଲାର ଇଷ୍ଟର୍ଣ୍ଣ ଓଡ଼ିଶା ଅପେରା ନାମକ ଏକ ଯାତ୍ରାପାର୍ଟି ନାଟକ ମଞ୍ଚସ୍ଥ କରିଥିଲେ। ସେମବାର ସକାଳେ ସମସ୍ତ ପ୍ରାୟ ୩୦ ଜଣ ପୁରୁଷ ଓ ମହିଳା ଯାତ୍ରା କଳାକାର ଭଡାରେ ଆଣିଥିବା ‘ବସୁନ୍ଧରା’ ନାମକ ଏକ ଯାତ୍ରୀବାହୀ ବସ୍‌(ନଂ-ଓଆର-୦୧-ଏଲ-୦୭୭୩) ଯୋଗେ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ। ତେବେ ଡଙ୍ଗାପଥର ଘାଟି ନିକଟସ୍ଥ ଅଣ ଓସାରିଆ ଗୁରୁଲିଆ ଘାଟର ଏକ ବୁଲାଣିରେ ବସର ଚାଳକ ହଠାତ ଭାରସାମ୍ୟ ହରାଇବାରୁ ବସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ ଚାଳକ ସମେତ ୨୦ ଜଣ ଯାତ୍ରା କଳାକାର ଓ କର୍ମଚାରୀ ଆହତ ହୋଇଥିଲେ। ଆହତମାନଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Dharitri – Odisha’s No.1 Odia Daily

Share