ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଜିଲାର ୫ ନିର୍ବାଚନ ମଣ୍ଡଳୀରୁ ୩୦୦ରୁ ଊର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ ସମର୍ଥିତ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ୱାର୍ଡ ମେମ୍ବରଙ୍କ ସମେତ ସାମାଜିକ ସଙ୍ଗଠନ, ଯୁବ ସଂଗଠନର କାର୍ଯ୍ୟକର୍ତ୍ତା ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନହିତକର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେମାନେ ଭାଜପାର ସାମିଲ ହୋଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି ଶିବାଜି ମହାନ୍ତି, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ପୂର୍ବତନ ବିଧାୟକ ଅନାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସଂଯୋଜକ ତଥା ମିଡିଆ ସେଲ ସଂଯୋଜକ ନରହରି ପଟ୍ଟନାୟକ ଓ ଜିଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ।