କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟରେ ଦିଆଯାଇଥିବା ବଟିକା ଖାଇ ୩୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।
ଓଚିନ୍ଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ କୃମି ନାଶକ ବଟିକା ଦିଆଯାଇଥିଲା। ଔଷଧ ସେବନ କରିବାର କିଛି ସମୟ ମଧ୍ୟରେ ପିଲାମାନେ ମୁଣ୍ଡ ବୁଲାଇବା ସହ ବାନ୍ତି କରିଥିଲେ। ସ୍ଥାନୀୟ ଶିକ୍ଷକ ଓ ଅଭିଭାବକମାନେ ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଚିକିତ୍ସା ପରେ ୩୦ ଜଣ ଛାତ୍ରଛାତ୍ରୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଏବେ ମଧ୍ୟ ୮ ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜିତେନ୍ଦ୍ର କୁମାର ସୋରେନ୍ଙ୍କ କହିବା ଅନୁଯାୟୀ, ସମସ୍ତ ପିଲା ଏବେ ବିପଦମୁକ୍ତ ଅଛନ୍ତି ଏବଂ ସେମାନଙ୍କୁ ଆବଶ୍ୟକୀୟ ଇଞ୍ଜେକ୍ସନ ଓ ତରଳ ପଦାର୍ଥ ପ୍ରଦାନ କରାଯାଇଛି।