
ଭବାନୀପାଟଣା,୨୮ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ରବି ଧାନ ଅମଳ କରି ବିକ୍ରି ପାଇଁ ଚାଷୀମାନେ ମଣ୍ଡିରେ ରଖିଛନ୍ତି। ହେଲେ ମଣ୍ଡିରୁ ଧାନ ଠିକ୍ ଭାବେ ଉଠୁନାହିଁ। ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେବାରେ ଲାଗିଛି। ବିଶେଷ କରି ଜିଲାର ଅନେକ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ସେଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି। ଆର୍ଏମ୍ସି ପକ୍ଷରୁ ତାରପୋଲିନ ଦିଆଯାଉଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁ ତଳ ପଟେ ପାଣି ପଶି ଧାନ ଭିଜିଯାଉଛି। ଏଥିଯୋଗୁ ଅନେକ ଚାଷୀଙ୍କ ଧାନ ଗଜା ହୋଇଯାଇଛି। ଧାନ କିଣା ମନ୍ଥର ଯୋଗୁ ଜିଲାର ୮୫ ମଣ୍ଡିରେ ୫ ହଜାର ଟୋକନର ୨ ଲକ୍ଷରୁ ଊଦ୍ଧର୍ବ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ବୁଧବାର ସୁଦ୍ଧା ୪୨ ହଜାର ୫୭୭ ଚାଷୀଙ୍କ ୩୦ ଲକ୍ଷ ୩ ହଜାର ୬୬୪ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ସେଥିରୁ ବୁଧବାର ଗୋଟିଏ ଦିନରେ ୭୫୮ ଜଣ ଚାଷୀଙ୍କ ୬୦ ହଜାର ୮୧୫ କୁଇଣ୍ଟାଲ ଧାନ ଉଠାଣ ହୋଇଛି। ଜିଲାରେ ରବି ଧାନ କିଣା ଟାର୍ଗେଟ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ୨୨ ହଜାର ରହିଥିବାବେଳେ ଅବଶିଷ୍ଟ ଧାନ ଏବେ ବିକ୍ରି ନ ହୋଇ ମଣ୍ଡିରେ ପଡିଛି। ସେହିପରି ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୪ ଧାନ ମଣ୍ଡି ରହିଥିବାବେଳେ ସେଥିରୁ ବର୍ତ୍ତମାନ ୫୯ ମଣ୍ଡିରେ ଧାନ କିଣା ସରିଥିବା ଜଣାପଡିଛି। ପ୍ରକାଶ ଯେ, ଏହି ସମୟରେ ଚାଷୀ ମାନେ ରବି ଧାନ ଅମଳ ପ୍ରକ୍ରିୟା ସାରି ଖରିଫ ଚାଷ ପାଇଁ ସଜବାଜ ହେବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରବି ଧାନ ବିକ୍ରି ଶେଷ ହୋଇ ନାହିଁ। ଗତ ୩ବର୍ଷ ଧରି ଜୁନ ୨୦ ତାରିଖ ସୁଦ୍ଧା ରବି ଧାନ ପ୍ରକ୍ରିୟା ଶେଷ ହେଉଥିବାବେଳେ ଚଳିତ ବର୍ଷ କିନ୍ତୁ ଜୁନ ୨୬ ତାରିଖ ପହଞ୍ଚି ଥିବାବେଳେ ଏହା ଶେଷ ହୋଇ ନାହିଁ। ଫଳରେ ଖରିଫ ଧାନ ଚାଷ ବିଳମ୍ବିତ ହେବ ବୋଲି ଜଣାପଡିଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ଷା ଯୋଗୁ ଧାନ କିଣା ପ୍ରଭାବିତ ହେଉଛି। ଅନେକ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ଧାନ ଭିଜିବା ସ୍ବାଭାଭିକ। ବର୍ଷା ସତ୍ତ୍ୱେ ଚାଷୀଙ୍କ ଧାନ ଉଠାଣ କରାଯାଉଛି। ବର୍ଷା କମିଲେ ଧାନ କିଣା ସ୍ବାଭାଭିକ ହେବ ବୋଲି କହିଥିଲେ।