ନବୀନଙ୍କୁ ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ? ନୂଆପଡ଼ାରୁ ସିଧା ଟାର୍ଗେଟ ପରେ ରାଜନୀତିରେ ଚହଳ

ନୂଆପଡ଼ା,୬।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି। ଏମିତିରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ଟାର୍ଗେଟ କରିଛନ୍ତି। ଗୁରୁବାର ଏଠାରେ ପ୍ରଚାର ସମୟରେ ବିରାଟ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ କେବେ କାହାକୁ ଭେଟୁଥିଲେ କି? ତାଙ୍କୁ ବିଜେଡିର ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟିପାରୁ ନ ଥିଲେ। ଏପରିକି ଜିଲା ସଭାପତି ମଧ୍ୟ ଭେଟି ପାରୁ ନ ଥିଲେ। କେବଳ ଏଥିପାଇଁ ସ୍ବର୍ଗତଃ ରାଜୁ ଢୋଲକିଆ ମଧ୍ୟ ଅଣନିଶ୍ବାସୀ ହୋଇଯାଇଥିଲେ। ସେ ଏବେ ଜଣେ କାର୍ପଟଦାରଙ୍କ ନିର୍ଦ୍ଦେଶରେ ଆସି ଏପଟସେପଟ ହେଉଛନ୍ତି।  ହେଲେ ତାଙ୍କ ଦ୍ବାର ନୂଆପଡ଼ାବାସୀ ଓ ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଜିଲା ବାହାରୁ ନେତା ଡାକି ଟିକେଟ ଦେବାକୁ ଟାର୍ଗେଟ କରି ସେ କହିଛନ୍ତି, ଜିଲା ଭିତରେ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲାପ୍ରାର୍ଥୀଙ୍କୁ ବଞ୍ଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ନୂଆପଡ଼ାକୁ ପଞ୍ଚମ ଥର ଆସିଛନ୍ତି ବୋଲି କହି ପୂର୍ବ ମୁଖ୍ୟମନ୍ତ୍ରୀ କେବେ ଏଠାକୁ ଆସି ଘୋଷଣା କରିନଥିବା ପ୍ରଶ୍ନ କରିଛନ୍ତି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ ବୋଲି ଆଶା ପ୍ରକାଶ କରିଛନ୍ତି। ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଲଢ଼େଇ ଚାଲିଛି ବୋଲି ଉଲ୍ଲେଖ କରି ପରିବର୍ତ୍ତନରେ ସାମିଲ ହେଲେ ନୂଆପଡ଼ା ବିକାଶରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ୧୦୦ ଟଙ୍କା ସବସିଡି ଦେବାକୁ କହି ଦେଇପାରିନଥିଲେ, କିନ୍ତୁ ଆମ ସରକାର ଆସିବା ମାତ୍ରେ ୮୦୦ ଟଙ୍କା ସବସିଡି ଦେଇଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି।

Dharitri – Odisha’s No.1 Odia Daily

Share