ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା ସହ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ଦଳ ଅଭିଯୋଗ କରିଛି।
‘ଡବଲ ଇଞ୍ଜିନ’ ସରକାର ଆସିଲେ ‘ଡବଲ ବିକାଶ’ ହେବ ବୋଲି ସ୍ଲୋଗାନ ଦିଆଯାଇଥିଲା। ମାତ୍ର ବାସ୍ତବରେ ରାଜ୍ୟର GSDP ଅଭିବୃଦ୍ଧି ହାର ୯.୬ ପ୍ରତିଶତରୁ ୭.୨ ପ୍ରତିଶତକୁ ଖସି ଆସିଛି। ସେହିପରି ଶିଳ୍ପ ଅଭିବୃଦ୍ଧି ହାର ୮.୭ ପ୍ରତିଶତରୁ ୬.୧ ପ୍ରତିଶତକୁ ହ୍ରାସ ପାଇଥିବା ବିଜେଡି ଦାବି କରିଛି।
ରାଜ୍ୟରେ ବେକାରୀ ହାର ବୃଦ୍ଧି ପାଇ ୩.୯ ପ୍ରତିଶତରେ ପହଞ୍ଚିଛି। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି। ସେହିପରି ବିଜେଡି ଅଭିଯୋଗ କରିଛି ଯେ ବିଜେପି ସରକାରଙ୍କ ନୀତି ଯୋଗୁଁ ବଡ଼ ବଡ଼ ଶିଳ୍ପ ସଂସ୍ଥା ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି।
JSW ଗ୍ରୁପ୍ର ୪୦,୦୦୦ କୋଟି ଟଙ୍କାର ଇଭି (EV) ବ୍ୟାଟେରୀ ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତର ହୋଇଛି। ଆରସେଲର ମିତ୍ତଲ ନିପନ ଷ୍ଟିଲ୍ର ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ରାପଡ଼ାରୁ ଆନ୍ଧ୍ରପ୍ରଦେଶକୁ ଚାଲିଯାଇଛି। ଏହା ସହ ସେମିକଣ୍ଡକ୍ଟର ଓ ସୋଲାର ପ୍ରକଳ୍ପ ମଧ୍ୟ ଓଡ଼ିଶା ହାତରୁ ଖସି ଯାଇଛି।
ବିଜେଡି କହିବା ମୁତାବକ, ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ସହାୟତାରେ ୧୮.୧୯ ପ୍ରତିଶତ ହ୍ରାସ ଘଟିଛି।
ଏଥିସହିତ ବିଜେଡି କହିଛି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ‘ମେକ୍ ଇନ୍ ଓଡ଼ିଶା’ ଜରିଆରେ ଯେଉଁ ପୁଞ୍ଜିନିବେଶର ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା, ତାହା ଏବେ ନଷ୍ଟ ହୋଇଯାଇଛି। ସରକାର କେବଳ ପୋଷ୍ଟର ଓ ପ୍ରଚାରରେ ସୀମିତ ନରହି ବାସ୍ତବ କ୍ଷେତ୍ରରେ କାମ କରନ୍ତୁ ବୋଲି ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି।