ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ ଥିବାରୁ ଆମେରିକାର ପ୍ରଶାନ୍ତ ମହାସାଗରୀୟ ରଣନୀତି ପାଇଁ ଭାରତ ଅପରିହାର୍ଯ୍ୟ ହୋଇଛି। ଆମେରିକାର ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ଶାସନର ଲଗାତର ୫ଟି ପ୍ରଶାସନ ସେମାନଙ୍କ ଭାଗୀଦାରିକୁ ଦୃଢ଼କରିବା ସକାଶେ ଅତ୍ୟଧିକ ନିବେଶ କରିଛନ୍ତି। ସେମାନେ ଭାରତକୁ କେବଳ ଏକ ମାର୍କେଟ ଭାବେ ଦେଖିନାହାନ୍ତି, ବରଂ ଏହାକୁ ଏକ ଦୀର୍ଘମିଆଦୀ ରଣନୀତିକ ଭାଗୀଦାରି ଭାବେ ଚୟନ କରିଛନ୍ତି। ହେଲେ ସେହି ସମୟରେ ଭାରତ ସହ ଆମେରିକାର ଯେଉଁ ସଦ୍‌ଭାବନା ଗଢ଼ିଉଠିଛି, ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ରାଷ୍ଟ୍ରପତି ହେବା ପରେ ତାହା ଦ୍ରୁତଗତିରେ ଅବକ୍ଷୟ ହେବାରେ ଲାଗିଛି। ଟ୍ରମ୍ପ୍‌ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାପରେ ସାର୍ବଜନୀନ ସ୍ତରରେ ଅପମାନ କରାଯିବାର ପଦକ୍ଷେପ ଓ ଏକ କଷ୍ଟଦାୟକ ବାଣିଜି୍ୟକ ଯୁଦ୍ଧ ସାମ୍ନାକୁ ଆସିଛି। ଆମେରିକା ଭୂରାଜନୈତିକ ଚାପର ସାଧନ ଭାବେ ଟାରିଫ୍‌କୁ ପ୍ରୟୋଗ କରୁଛି। ଫେବୃଆରୀ ୨ରେ ଘୋଷଣା କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ବାଣିଜି୍ୟକ ଚୁକ୍ତି ଅର୍ଥନୈତିକ ଯୁଦ୍ଧକୁ ରୋକିପାରେ, କିନ୍ତୁ କୌଣସି ରଣନୀତିକ ଭାଗୀଦାରି ପାଇଁ ଆବଶ୍ୟକ ବିଶ୍ୱସନୀୟତା ଶୀଘ୍ର ପୁନଃ ସ୍ଥାପନ ହେବାର କୌଣସି ସମ୍ଭାବନା ନାହିଁ।
ଭାରତ ଉପରେ ଆମେରିକା ଲାଗୁ କରିଥିବା ଅତ୍ୟନ୍ତ ପ୍ରଭାବୀ ଟାରିଫ୍‌କୁ ୫୦%ରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇ ନୂତନ ଭାବେ ଘୋଷଣା ହୋଇଥିବା ଚୁକ୍ତି ଭାରତକୁ ସ୍ବଳ୍ପମିଆଦୀ ଆଶ୍ୱସ୍ତି ଦେଇପାରେ। କିନ୍ତୁ ଆମେରିକାର ଶିଳ୍ପ ଉତ୍ପାଦ ଓ ବ୍ୟାପକ କୃଷିଭିତ୍ତିକ ସାମଗ୍ରୀ ଉପରେ ଭାରତ ପାଖାପାଖି ଶୂନ ଟାରିଫ୍‌ ଦିଗରେ ଆଗକୁ ବଢ଼ିବା ସହ ଅନେକ ସର୍ତ୍ତ ଏଥିରେ ଜଡ଼ିତ ରହିଛି। ଦେଖିବାକୁ ଗଲେ ଦେଶରେ ସବୁଠୁ ଅଧିକ ନିଯୁକ୍ତି ସୃଷ୍ଟି କରୁଛି କୃଷିକ୍ଷେତ୍ର। ଏଭଳି ଏକ ସମ୍ବେଦନଶୀଳ କ୍ଷେତ୍ରକୁ ମୁକ୍ତ କରିଦେଇ ଆମେରିକାରୁ ପ୍ରଚୁର ଆମଦାନୀ କରିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଗଲାଣି। ଏତିକିରେ ଶେଷ ହୋଇନାହିଁ। ଭାରତ ମଧ୍ୟ ଆଗାମୀ ୫ ବର୍ଷ ମଧ୍ୟରେ ୫୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ କିଣିବାକୁ ରାଜିହୋଇଛି। ରିହାତିରେ ପାଉଥିବା ରୁଷିଆ ତେଲ ପରିବର୍ତ୍ତେ ବଜାର ଦରରେ ଆମେରିକାରୁ ଶକ୍ତି କ୍ରୟ କରିବ, ଯେଉଁଥିରେ ଅତିରିକ୍ତ ପରିବହନ ଖର୍ଚ୍ଚ ସାମିଲ ରହିଛି। ଏହି ସମୟରେ ଭାରତ ପ୍ରତି ଆମେରିକା କୌଣସି ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିନାହିଁ। ଏହି ଏକତରଫା ମୂଲଚାଲରେ ଏକ ସ୍ଥାୟୀ, ପାରସ୍ପରିକ ଓ ନିୟମ ଆଧାରିତ ଭାଗୀଦାରି ଥିବା ଭଳି ଦେଖାଯାଉନାହିଁ। ବରଂ ଆମେରିକାର ବାଣିଜ୍ୟ ନୀତି କେତେ ମାତ୍ରାରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ ନିୟମରୁ ଦୂରେଇଯାଇଛି ତାହା ଏହି ଚୁକ୍ତିରୁ ସାମ୍ନାକୁ ଆସିଛି। ଭଲ ଭାବରେ ବୁଝାପଡ଼ୁଛି ଯେ ସମ୍ଭବତଃ ଏହା ଏକ ରଣନୀତିକ ବୁଝାମଣା ନୁହେଁ, ବରଂ ଉତ୍ତେଜନା ହ୍ରାସକରିବା ସକାଶେ କରାଯାଇଥିବା ଚୁକ୍ତି।
ଯେଉଁ ପ୍ରକାରେ ଏହି ଚୁକ୍ତି ଘୋଷଣା କରାଗଲା ତାହା ଏହି ବିଷୟକୁ ଅଧିକ ଦୃଢ଼ କରେ-ବିଶେଷକରି, ସମାନ ଭାଗୀଦାରିର ସଙ୍କେତ ଦେବାକୁ ଉଭୟ ଦେଶର ରାଜଧାନୀରେ ଦ୍ୱିପାକ୍ଷିକ ବୁଝାମଣା କିମ୍ବା ମିଳିତ ଘୋଷଣାନାମା ଏକାବେଳକେ ଘୋଷଣା କରାଯାଇଥିଲା। ଭାରତ ନିକଟରେ ୟୁରୋପୀୟ ସଂଘ ସହ ମୁକ୍ତ-ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛି। ବୈଶ୍ୱିକ ଜିଡିପିର ପ୍ରାୟ ୨୫% ଏବଂ ବିଶ୍ୱ ବାଣିଜ୍ୟର ଏକ ତୃତୀୟାଂଶକୁ ନେଇ ବାଣିଜି୍ୟକ କରିଡର ସୃଷ୍ଟି କରୁଥିବା ଏହି ଚୁକ୍ତିକୁ ଉଭୟପକ୍ଷ ‘ମଦର ଅଫ୍‌ ଅଲ୍‌ ଡିଲ୍ସ’ ବା ସବୁ ଚୁକ୍ତିର ଜନନୀ ଭାବେ ପ୍ରଚାର କରିଥିଲେ। ଅପରପଟେ, ଆମେରିକା- ଭାରତ ଚୁକ୍ତି ପ୍ରଥମେ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ଟ୍ରମ୍ଫ୍‌ ଚୁକ୍ତିକୁ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟକରି ଦର୍ଶାଇଥିଲେ ଯେ, ବନ୍ଧୁତ୍ୱ ଓ ସମ୍ମାନ ଦୃଷ୍ଟିରୁ ଚୁକ୍ତି ପାଇଁ ମୋଦିଙ୍କ ଅନୁରୋଧକୁ ସେ ସ୍ବୀକୃତି ଦେଇଛନ୍ତି। କିଛିଦିନ ପରେ ଭାରତୀୟ ସମୟ ସକାଳ ୫ଟାରେ ଚୁକ୍ତିର ସର୍ତ୍ତକୁ ଦର୍ଶାଇ ହ୍ବାଇଟ ହାଉସ ଏକ ମିଳିତ ବିବୃତି ଜାରିକଲା। ତା’ପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ରୁଷିଆ ତେଲ ଆମଦାନୀ ବନ୍ଦ କରିବାର ପ୍ରତିଶ୍ରୁତିକୁ ଭାରତ ଉଲ୍ଲଂଘନ କରିଥିବା ଯଦି ଆମେରିକା ଜାଣିବ ତେବେ ଦଣ୍ଡସ୍ବରୂପ ଟାରଫ୍‌ ପୁଣି ଲାଗୁକରିବ ବୋଲି ରାଷ୍ଟ୍ରପତିଙ୍କ ଏକ ଆଦେଶ ଟ୍ରମ୍ପ୍‌ ପ୍ରଶାସନ ଜାରିକଲା, ଯାହା ସ୍ଥିତିକୁ ଆହୁରି ଖରାପ କରିଦେଲା। ଭାରତୀୟ ଶକ୍ତି ଆମଦାନୀକୁ ଆମେରିକାର ଜାତୀୟ ସୁରକ୍ଷା ପ୍ରସଙ୍ଗ ଭାବେ ଦର୍ଶାଇ ପ୍ରଶାସନ ଆର୍ଥିକ ବୁଝାମଣାକୁ ଏକ ଅନୁପାଳନର ପରୀକ୍ଷାରେ ପରିଣତ କରିଦେଇଛି। ଭାରତକୁ ଏହା ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, କେବଳ ଆମେରିକା ଦ୍ୱାରା ଅନୁମୋଦିତ କଟକଣା ମଧ୍ୟରେ ସ୍ବାୟତ୍ତତାକୁ ସହ୍ୟ କରାଯିବ।
ଭାରତୀୟ ନେତାମାନେ ଚୁକ୍ତିକୁ ଏକ ବିଜୟ ଭାବେ ଉପସ୍ଥାପିତ କରିଛନ୍ତି। ଦର୍ଶାଇଛନ୍ତି ଯେ, ଭାରତ ଏବେ ଚାଇନା ଏବଂ ଭିଏଟ୍‌ନାମ ତୁଳନାରେ କମ୍‌ ଟାରିଫ୍‌ର ସମ୍ମୁଖୀନ ହୋଇଛି। କିନ୍ତୁ ଏକ ସମ୍ପର୍କ ପାଇଁ ଏହା ଏକ ନିମ୍ନସ୍ତରର ମାନଦଣ୍ଡ, ଯାହାକୁ ଲଗାତର ଭାବେ ଆମେରିକା ପ୍ରଶାସନଗୁଡ଼ିକ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଆସିଛନ୍ତି। ସମ୍ଭବତଃ ସେସବୁ ଭଲ ଭାବେ ସଚେତନ ଥିଲେ ଯେ, ଟ୍ରମ୍ପ୍‌ ଏହାକୁ ସମର୍ଥନକରି ନ ପାରନ୍ତି। ସବିଶେଷ ବୁଝାମଣା ଏଯାବତ ଚୂଡ଼ାନ୍ତ ହୋଇନାହିଁ ଏବଂ ଟ୍ରମ୍ପ୍‌ ତାଙ୍କ ମାନସିକତାରେ ପରିବର୍ତ୍ତନ କରିବା, ଚୁକ୍ତିକୁ ରଦ୍ଦକରିବା ଏବଂ ନୂଆ ଦାବି ଉପସ୍ଥାପନ କରିବାର ଏକ ଲମ୍ବା ଇତିହାସ ରହିଛି। ଆଗକୁ ଯାହା ବି ଘଟୁ, ଭାରତ କେବେ ବି ଟ୍ରମ୍ପ୍‌ଙ୍କ ଅତୀତର ବିଶ୍ୱାସଘାତକତାକୁ ଶୀଘ୍ର ଭୁଲିପାରିବ ନାହିଁ। କେବଳ ଏତିକି ନୁହେଁ , ଭାରତର ଅଭିବୃଦ୍ଧି ଅନ୍ୟ ସବୁ ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ଟପିଯାଇଥିଲେ ବି ସେ ଗତ ଜୁଲାଇରେ ଭାରତକୁ ‘ମୃତ ଅର୍ଥ ବ୍ୟବସ୍ଥା’ ବୋଲି ଦର୍ଶାଇ ଦେଇଥିବା ଅପମାନକୁ ମଧ୍ୟ ଭାରତ ଏଡ଼ାଇ ଯାଇପାରିବ ନାହିଁ। ଦେଖିବାକୁ ଗଲେ, ଟ୍ରମ୍ପ୍‌ଙ୍କ କୃପାଦୃଷ୍ଟି ଭାରତକୁ ଲାଭ ଦେଇପାରେ। ଟ୍ରମ୍ପ୍‌ ବୈଦେଶିକ ନୀତିରେ ନେଣଦେଶ ଭାବନାକୁ ପ୍ରକାଶକରି ସେ ଦର୍ଶାଇଛନ୍ତି, ତାଙ୍କ ନେତୃତ୍ୱରେ ଆମେରିକା ଏକ ବିଶ୍ୱସ୍ତ ରଣନୀତିକ ଭାଗୀଦାରି ନୁହେଁ। ଫଳରେ ଭାରତ ସରକାର ଦେଶର ଆର୍ଥିକ ସମ୍ପର୍କକୁ ଆମେରିକାଠାରୁ ଦୂରେଇନେଇ ଅନ୍ୟତ୍ର ମୁହଁାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ଇୟୁ ସହ ଏଫ୍‌ଟିଏ ଏବଂ ଇଂଲଣ୍ଡ ସହ ହୋଇଥିବା ଚୁକ୍ତିରୁ ସାମ୍ନାକୁ ଆସିଛି। ଆମେରିକା ସହ ନୂଆ ବାଣିଜ୍ୟ ଚୁକ୍ତି ହେଲେ ମଧ୍ୟ ଏହି ପଦକ୍ଷେପ ଆଗକୁ ଜାରି ରହିବା ସମ୍ଭାବନା ରହିଛି। ମାର୍କେଟଗୁଡ଼ିକ ମଧ୍ୟ ଆମେରିକା ଉପରେ ଅତ୍ୟଧିକ ବିଶ୍ୱାସ ରଖିବା ସମ୍ଭାବନା କମ୍‌। ବାଣିଜ୍ୟ ଚୁକ୍ତି ଖବର ଭାରତରେ ଶେୟାର ବଜାରରେ ବୃଦ୍ଧି ଘଟାଇଲା, କିନ୍ତୁ ଲାଭ ସ୍ବଳ୍ପକାଳୀକ ହୋଇପାରେ।
ଟାରିଫ୍‌ କିମ୍ବା ଧମକ ଦ୍ୱାରା ରଣନୀତିକ ଭାଗୀଦାରି ବଜାୟ ରଖାଯାଇପାରେ ନାହିଁ; ଏହା କେବଳ ପୂର୍ବାନୁମାନଶୀଳତା, ପାରସ୍ପରିକ ସମ୍ପର୍କ ଓ ସଂଯମ ଯୋଗୁ ସମ୍ଭବ ହୁଏ , ଯାହା ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ସମୟରେ ସ୍ପଷ୍ଟରୂପେ ଦେଖିବାକୁ ମିଳୁନାହିଁ। ଆମେରିକା ସାବଧାନ ରହିବା ଉଚିତ। ଧମକ ଓ ଚାପରେ ଟ୍ରମ୍ପ୍‌ ଯାହା ବି ସ୍ବଳ୍ପମିଆଦୀ ସୁବିଧା ବା ଲାଭ ହାସଲକରନ୍ତୁ ନା କାହିଁକି , ପୂର୍ବ ପ୍ରଶାସନଗୁଡ଼ିକ ଦ୍ୱାରା ସ୍ବୀକୃତ ଭାଗୀଦାରିତାକୁ ଅସ୍ଥିର କରିବାର ଦୀର୍ଘକାଳୀକ କ୍ଷତି ଯୋଗୁ ତାହା ହ୍ରାସ ପାଇବ । ଏଭଳି ଭାଗୀଦାରି କେବଳ ଭାରତ-ପ୍ରଶାନ୍ତସାଗରୀୟ ଅଞ୍ଚଳ ନୁହେଁ ବରଂ ଅନ୍ୟଠାରେ ମଧ୍ୟ ଆମେରିକାର ସ୍ବାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ।

ବ୍ରହ୍ମ ଚେଲାନି
ପ୍ରଫେସର, ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌,
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri