କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା ଥାନା ଅନ୍ତର୍ଗତ ଯୋଲକୋ ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବୁଧବାର ରାତ୍ର ପ୍ରାୟ ୮ଟା ସମୟରେ କେସିଙ୍ଗା ପଟୁ ସପ୍ନା ସୁନ୍ଦର କୁମ୍ଭାର(୪୦) ନାମକ ଜଣେ ଯୁବକ ନିଜ ଗ୍ରାମ ଉତ୍କେଲାକୁ ଯାଉଥିବା ସମୟରେ ଯୋଲକୋ ଛକ ନିକଟରେ ଏକ ବୋଲେରୋ ସହିତ ପିଟି ହୋଇ ଗୁରୁତର ହୋଇଛନ୍ତି। ଧକ୍କା ଦେଇଥିବା ବୋଲେରୋ ସାଇଡରେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ ସହିତ ମଧ୍ୟ ପିଟି ହୋଇଥିଲା। ବୋଲେରୋରେ ଟିଟଲାଗଡ ନିକଟସ୍ଥ ବିନେକେଲା ଗ୍ରାମର ୧୦ ଜଣ ଝିଅ ଓ ତିନି ଜଣ ଯୁବକ ଭବାନୀପାଟଣାରୁ ବଣଭୋଜି ସାରି ଫେରୁଥିଲେ। ସୌଭାଗ୍ୟବଶତଃ ସମସ୍ତ ୧୩ ଜଣ ଓ ଡ୍ରାଇଭର ସୁରକ୍ଷିତ ରହିଛନ୍ତି। ଭୟଭୀତ ହୋଇ ଧାନ ବୋଝେଇ ଟ୍ରକ ଡ୍ରାଇଭର ଓ ବୋଲେରୋ ଡ୍ରାଇଭର କୁଆଡେ ଫେରାର ମାରିଥିବା ଜଣାପଡିଛି। କେସିଙ୍ଗା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଗାଡ଼ିରେ ଆହତ ମୋଟରସାଇକେଲ ଚାଲକଙ୍କୁ କେସିଙ୍ଗା ମେଡିକାଲକୁ ନେଇ ଆସିଥିଲେ। ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତର କହିବା ଅନୁଯାୟୀ ଆହତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି।