ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ ଜାରି ରଖି ୩ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କୋର୍ଟ ଚାଲାଣ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ବେଳେ ଅନ୍ୟ ଦୁଇଜଣ ହେଲେ କୃଷ୍ଣ ଗୁଣ୍ଠା, ଆଦୁ ହନ୍ତାଳ ଏବଂ ନାବାଳକ ସୁନିଲ ଖରା ପ୍ରମୁଖଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ ମୃତ ଯୋଗୀ ଖରାଙ୍କ ବାପା ପଶୁପତି ଖରାଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏକ କେସ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପଞ୍ଚାୟତ ସଦର ମହକୁମାର କିଛି ଲୋକଙ୍କୁ ସନ୍ଦେହ କରି ଉଠାଇ ଆଣି ପଚରାଉଚରା କରିଥିଲା। ଏହି ସମୟରେ ମୃତ ଯୋଗୀଙ୍କ ସାନ ଭାଇ ନାବାଳକ ସୁନିଲଙ୍କ କହିବା ଅନୁସାରେ ବାରହା ଶିକାର କରିବା ପାଇଁ ବିଦ୍ୟୁତ୍ ତାର ଯାଇଥିବା ସ୍ଥାନରେ ମୁଁ ଏବଂ ଅନ୍ୟ ଦୁଇ ଜଣ ଫାଶ ପକାଇଥିଲୁ କିନ୍ତୁ ଘଟଣା ଘଟିବା ଦିନ ଭୋର ସକାଳୁ ବାର୍ହା ଶିକାର ପାଇଁ ପକା ଯାଇଥିବା ଫାଶ ସ୍ଥାନକୁ ଯାଇ ଦେଖିବାକୁ ପାଇଥିଲୁ କି ମୋର ନିଜ ବଡ଼ ଭାଇ ଉକ୍ତ ଫାଶରେ ଫସିଯାଇଛି । ଏହା ଦେଖି ଭାଇକୁ ଫାଶରୁ ବାହାର କରିବା ପୂର୍ବରୁ ଭାଇ ମୃତ୍ୟୁବରଣ କରିଥିଲେ। ଯାହାଫଳରେ କି ମୃତ ଭାଇକୁ ଫାଶରୁ ବାହାର କରି ଘଟଣା ଘଟିଥିବା ସ୍ଥାନରୁ ପ୍ରାୟ ୫୦ ମିଟର୍ ଦୂରରେ ପକାଇ ଦେଇଥିଲୁ ବୋଲି ପୋଲିସ ନିକଟରେ ପ୍ରକାଶ କରିଥିଲେ।
ସୁନିଲଙ୍କ ସୂଚନା ଆଧାରରେ କୃଷ୍ଣ ଏବଂ ଆଦୁ ଦୁହିଁଙ୍କୁ ଉଠାଇ ଆଣି ପୋଲିସ ଅଧିକରୁ ଅଧିକ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପୋଲିସ ମୃତ ଯୁବକଙ୍କ ବାପା ଠାରୁ ଏବଂ ବିଦ୍ୟୁତ୍ ବିଭାଗ ପକ୍ଷରୁ ଦୁଇଟି ଲିଖିତ ଅଭିଯୋଗ ଗ୍ରହଣ କରି କେସ୍ ନଂ ୫୦/୨୬ ଅନୁସାରେ ତଦନ୍ତ ଜାରି ରଖିଥିଲା। ଅନ୍ୟପକ୍ଷରେ ଉକ୍ତ ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।