ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀରର ଥଣ୍ଡାର ମଜା ନେବାକୁ ଛୁଟିଦିନ ରବିବାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟ ସମେତ ହିଲଭିୟୁ ପାର୍କ, କଫି ବଗିଚା, କିସୁବାଡ଼ି ଜଳପ୍ରପାତ, ଡ଼ୁଲୁରୀ ପାଇନ ବଣ, ମିଡିୟୁାନ୍ଦା ଜଳପ୍ରପାତ,ସନ ସେଟ୍ ପଏଣ୍ଟ ଆଦି ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ନୂତନ ବର୍ଷର ତୃତୀୟ ରବିବାରରେ ଏହି ଭିଡ଼ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ପ୍ରତି ଆଗ୍ରହ ଦର୍ଶାଉଥିବା କୁହାଯାଉଛି। ଏବେ ମଧ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ବଣଭୋଜି କରିବା ସହ ବୁଲାବୁଲି କରି ଥଣ୍ଡା ଓ ଶାନ୍ତ ପରିବେଶର ମଜା ନେଇଛନ୍ତି। ହିଲଭିୟୁ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ୍ରେ ମ୍ୟୁଜିକ୍ର ତାଳେତାଳେ ନାଚି ଉଠିଥିଲେ ପର୍ଯ୍ୟଟକ। ଏହି ସମୟରେ ବୟସକୁ ଗୁରୁତ୍ୱ ନଦେଇ ବରିଷ୍ଠ ନାଗରିକମାନେ ମଧ୍ୟ ନାଚୁଥିବା ବିଶେଷକରି ପଶ୍ଚିମବଙ୍ଗ ପର୍ଯ୍ୟଟକ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ ମାନେ ନାଚରେ ମଜିଯାଇଥିଲେ। କଫି ବଗିଚାରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକର ପୂର୍ବତନ ବିଡିଓ ତଥା ବର୍ତ୍ତମାନର ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ଗଦାଧର ପାତ୍ର ଏବେ ପର୍ଯ୍ୟଟକ ସାଜି ତାଙ୍କ ଫୁଲବାଣୀ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ଦାରିଙ୍ଗବାଡ଼ିର ପର୍ଯ୍ୟଟନକ୍ଷେତ୍ର ବୁଲି ବହୁତ ପ୍ରଶଂସା କରିଥିଲେ। ବର୍ତ୍ତମାନର ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ପର୍ଯ୍ୟଟନକ୍ଷେତ୍ରର ବିକାଶ ଧାରାକୁ ବଜାୟ ରଖିଥିବା କହି ସେ ପ୍ରଶଂସା କରିଥିଲେ।