ଝରିଗାଁ,୨୨ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ବାରବାକୁଲି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ। ସେଠାରେ କାମ ସାରିବା ପରେ ବୁଧବାର ସନ୍ଧ୍ୟାରେ ନିଜ ଘରକୁ ଫେରୁଥିଲେ। ଘରକୁ ଫେରିବା ସମୟରେ ବାରବାକୁଲି ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲ ନିକଟରେ ହଠାତ ପଦୁ ସାନ୍ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ମହୁମାଛି ଆକ୍ରମଣ କରିବା ପରେ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲେ। ତେବେ ସେହି ପୋଖରୀ ଭିତରୁ ଆଉ ବାହାରକୁ ବାହାରି ନ ପାରି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୀର୍ଘ ସମୟ ପରେ ପଦୁଙ୍କ ନାତି ପ୍ରଦୀପ ସାନ୍ତା ସେହି ରାସ୍ତା ଦେଇ ଯାଉଥିବା ବେଳେ ଅଜାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଝରଗାଁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ବାହାର କରିଥିବା ବେଳେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।