ରିଷିଡ଼ା,୧୩ା୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁରରୁ ରିଷିଡା ଦେଇ କର୍ଲାମୁଣ୍ଡା ଯାଇଥିବା ପୂର୍ତ୍ତ ରାସ୍ତା କାମ ଗତବର୍ଷ ଆରମ୍ଭ ହୋଇଥିଲା। ହେଲେ ରିଷିଡା ହାଇସ୍କୁଲ ଛକଠାରୁ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କାମ ନ କରି ଛାଡି ଦିଆଯାଇଥିଲା। ଫଳରେ ରିଷିଡା ମାର୍କେଟ ତଥା କର୍ଲାମୁଣ୍ଡାକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତାରେ ପାଣି ଜମି ରହୁଥିଲା। ଏହି ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ରାସ୍ତା କାମ ହେବ କହି ଦିନ ଗଡାଇ ଚାଲିଥିଲେ। ପରେ ଲୋକେ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠିକାଦାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ କାମ ଆରମ୍ଭ କରିଛନ୍ତି। ବିଧାୟିକାଙ୍କ ତତ୍କାଳ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।