ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା ସହ ସୁରକ୍ଷା, ମୂଳ ଦରମା ବୃଦ୍ଧି ଭଳି ଅନ୍ୟାନ୍ୟ ଦାବି ପାଇଁ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)। ଶୁକ୍ରବାରଠାରୁ ୧ ଘଣ୍ଟା ଆଉଟ୍‌ଡୋର (ବହିର୍ବିଭାଗ)ରେ ରୋଗୀସେବା ବନ୍ଦ କରଯାଇଛି। ଏହାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ଚିକତ୍ସାଳୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି। ଆନ୍ଦୋଳନର ଦିତୀୟ ଦିନରେ ଉପଖଣ୍ଡ ଚିକିତ୍ସାଳୟରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ବହିର୍ବିଭାଗ ରୋଗୀସେବା ବନ୍ଦ ରହିଥିଲା। ଯାହାଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ରୋଗୀମାନେ ଲମ୍ବା ଧାଡ଼ିରେ ଜଗି ରହିଥିବା ବେଳେ ଡାକ୍ତରମାନେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସହିତ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ନିର୍ଭର କରୁଥିବା ବେଳେ ଏପରି ସମସ୍ୟା ଯୋଗୁ ବହୁତ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ସରକାର ଡାକ୍ତରଙ୍କ ଦାବିଗୁଡିକ ଯଥା ପୂରଣ କରିବା ସହିତ ରୋଗୀଙ୍କୁ ଉଚିତ ସେବା ଯୋଗାଇବା ନିମନ୍ତେ ସାଧାରଣରେ ଦାବି ହୋଇଛି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହିପରି ପ୍ରତ୍ୟେକ ଦିନ ୧ ଘଣ୍ଟା ସେବା ବନ୍ଦ ରହିବ ବୋଲି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଦର୍ଶନ ସାହୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily