ନିଜକୁ ଜାଳିଦେଲେ ବୃଦ୍ଧ, ସୁଇସାଇଡ ନୋଟ୍‌ରେ ପୁଅକୁ ଲେଖିଲେ…

ଦିଗପହଣ୍ଡି/ପାଟପୁର,୨୩।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମଦାହ କରିଛନ୍ତି। ବୃଦ୍ଧ ଜଣକ ହେଲେ ଗ୍ରାମର ପୁରୋହିତ ପୀତବାସ ଆଚାର୍ଯ୍ୟ(୬୨)। ପରିବାର ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା॥ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପାଟପୁର ପୋଲିସ ଖବରପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୋଲିସ ବୃଦ୍ଧଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରିଛି। ସେଥିରେ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ। ମୋର ମୃତ୍ୟୁ ପାଇଁ ଅନ୍ୟକେହି ଦାୟୀ ନୁହଁନ୍ତି। ବୋଉକୁ ଭଲରେ ରଖିବୁ ବୋଲି ନିଜ ପୁଅ ଉଦ୍ଦେଶ୍ୟରେ ସେ ଲେଖିଥିବାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏନେଇ ସବିଶେଷ ତଦନ୍ତ କରାଯିବ ବୋଲି କହିଛନ୍ତି। ବାପା ଉଚ୍ଚ ରକ୍ତଚାପ,ମଧୁମେହ ରୋଗରେ ପୀଡ଼ିତ ହୋଇ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲା କୌଣସି କାରଣକୁ ନେଇ ସଦାସର୍ବଦା ଅନ୍ୟମନସ୍କ ରହୁଥିଲେ। କାହାରି ସହ ପ୍ରାୟ କଥାବାର୍ତ୍ତା କରୁନଥିଲେ। ଚୁପ ଚାପ ଗୋଟିଏ ଜାଗାରେ ବସି ରହୁଥିଲେ ପରିବାର ଲୋକଙ୍କୁ କିଛି ବି କହୁନଥିଲେ। ତାଙ୍କୁ ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ସ୍ତ୍ରୀ ଙ୍କୁ ଡାକି ଦୋକାନରୁ ଏକ ଥଣ୍ଡା ପାନୀୟ ବୋତଲ ଆଣିବାକୁ କହିଥିଲେ। ସେ ଦୋକାନକୁ ଚାଲିଯିବା ପରେ ଘର ବାରି ପଟକୁ ଯାଇ ନିଜ ଦେହରେ ନିଆଁ ଲଗାଇଦେଇଥିଲେ।