ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ବୁଧବାର ଅପରାହ୍ନରୁ ନିଖୋଜ ଥିଲେ। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ନଦୀଗଣ୍ଡରେ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମବାହିନୀ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ ଏତଲା ହେବାପରେ ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ନଂ.୨୦/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

