ଥୁଆମୂଳରାମପୁର,୧୩ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅନ୍ତର୍ଗତ ଲୋହରାଜୋର ବ୍ରିଜ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍ ନିୟନ୍ତ୍ରଣ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାଲିସରା ଗ୍ରାମର କୁମାରୁ ମାଝୀ (୬୦)।
ମିଳିଥିବା ସୂଚନାନୁଯାୟୀ, ଗୁରୁବାର ସକାଳେ କୁମାରୁ କୌଣସି କାମରେ ଥୁଆମୂଳ ରାମପୁର ଯାଉଥିବା କହି ଘରୁ ବାହାରିଥିଲେ। ସେ ତାଙ୍କ ନିଜସ୍ବ ମୋଟର ସାଇକେଲ (ନଂ- OD 08 E 4325) ଯୋଗେ ରାମପୁରରୁ କାମ ସାରି ବିଳମ୍ବିତ ରାତିରେ ଫେରୁଥିଲେ। ଟୁନାପାରି ଓ ତୁକ ଗୁଡ଼ା ମଧ୍ୟବର୍ତ୍ତୀ ମଶାଣି ନିକଟସ୍ଥ ବୁଲାଣି ରାସ୍ତାରେ ତାଙ୍କ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା। ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲେ। ଆଜି ସକାଳ ସ୍ଥାନୀୟ ଲୋକେ ବ୍ରିଜ ତଳେ ମୃତଦେହ ଓ ବାଇକ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ମୃତକଙ୍କ ପୁଅ ବିନ୍ଦୁ ମାଝୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ୨୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସ୍.ଆଇ. ବି. ଖୋସଲାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛି। ଜଣେ ବୃଦ୍ଧଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

