ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ ଟାରେ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଖବରପାଇ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ,ଏଏସ୍‌ଆଇ ସି. ତାରକେଶ୍ୱର ରାଓ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସିନ୍ଧବା ଗ୍ରାମର ଶିବ ଗୌଡ଼ ଏବଂ ଚିକୁନ ଗୌଡ଼ ନାମକ ୨ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖି ମାରାଥନ ଜେରା କରୁଥିବା ଜଣାପଡିଛି। ସନ୍ୟାସୀଙ୍କ ପୁଅ ବିଚିତ୍ର ଗୌଡ଼ଙ୍କ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୧/୨୬ ଅନୁଯାୟୀ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

ସୂଚନାନୁଯାୟୀ, ଗତ କିଛିଦିନ ହେଲା ଗାଁରେ ରହୁଥିବା ସନ୍ୟାସୀଙ୍କ ନାତୁଣୀଙ୍କୁ ଶିବ ହଇରାଣ ହରକତ କରୁଥିଲେ। ସନ୍ୟାସୀ ତାଙ୍କୁ ଏଭଳି କାମରୁ ନିବୃତ୍ତ ହେବାକୁ ଚେତାବନୀ ଦେଇଥିଲେ। ଗତ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ପୁଣିଥରେ ଶିବ ତାଙ୍କ ନାତୁଣୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଗୁରୁବାର ସକାଳେ ଘର ସମ୍ମୁଖରେ ଶିବଙ୍କୁ ଦେଖି ସନ୍ୟାସୀ ଘଟଣା କ’ଣ ପଚାରିଥିଲେ। ଏଥିରେ ଉତ୍ତେଜିତ ହୋଇ ଶିବ ଓ ତାଙ୍କ ସମ୍ପର୍କୀୟ ଚିକୁନ ସନ୍ନ୍ୟାସୀଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଶିବ ଏକ ଭଙ୍ଗା ଠେସ କାଠରେ ସନ୍ୟାସୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଏତଲାରେ ଉଲ୍ଲେଖ ରହିଛି ।

Dharitri – Odisha’s No.1 Odia Daily

Share