ତେଲରେ ନିଆଁ

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଚଳିତ ସପ୍ତାହରେ ଇନ୍ଧନ ଦର ୪ଥର ବଢିଲାଣି। ସେହିଭଳି ଜାନୁୟାରୀରେ ତେଲ ଦର ୮ଥର ବୃଦ୍ଧି ପାଇବା ଅସହ୍ୟ ହେଲାଣି। ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଶନିବାର ଲଗାତର ଦ୍ୱିତୀୟ ଦିନ ଲାଗି ତେଲ ଦର ବଢାଇଥିଲେ। ଫଳରେ ଏବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬.୩୮ ଟଙ୍କା ଏବଂ ଡିଜେଲ ୮୨.୬୮ଟଙ୍କା ଛୁଇଁଛି। ଏଠାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଲାଗି ଖାଉଟିଙ୍କୁ ଦିଲ୍ଲୀ ତୁଳନାରେ ଅଧିକ ଦାମ୍‌ ଦେବାକୁ ପଡୁଛି। ରାଜ୍ୟର ମାଲକାନଗିରିରେ ଶନିବାର ପେଟ୍ରୋଲ ୯୧.୪୨ ଟଙ୍କା ଏବଂ ଡିଜେଲ ୮୭.୬୫ ଟଙ୍କା ରହିଥିଲା। ବର୍ତ୍ତମାନ ଓଡ଼ିଶାରେ ପେଟ୍ରୋଲ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ସେହିଭଳି ରାଜ୍ୟର ଅନ୍ୟ ପ୍ରମୁଖ ସହର ସମ୍ବଲପୁରରେ ପେଟ୍ରୋଲ ୮୬.୯୭ଟଙ୍କା ଓ ଡିଜେଲ ୮୩.୨୭ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ବାଲେଶ୍ୱରରେ ଲୋକମାନେ ତେଲ ପାଇଁ ଯଥାକ୍ରମେ ୮୬.୩୭ ଟଙ୍କା ଏବଂ ୮୨.୯୬ ଟଙ୍କା ଦେଉଥିବା ସୂଚନା ମିଳିଛି।
ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ୨୭ ପଇସା ବଢିଛି। ଶୁକ୍ରବାର ମଧ୍ୟ ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ୨୮ ପଇସା ବଢ଼ିଥିଲା। ଚଳିତ ମାସରେ ଭୁବନେଶ୍ୱରରେ ପେଟ୍ରୋଲ ୨.୧ ଟଙ୍କା ଏବଂ ଡିଜେଲ ୨.୧୮ ଟଙ୍କା ବଢିଲାଣି। ଜାନୁୟାରୀର ପ୍ରତି ସପ୍ତାହରେ ତେଲ ଦର ୨ ଥର ଲେଖାଏ ବଢିଛି। ରାଜସ୍ଥାନର ଗଙ୍ଗାନଗରରେ ଇନ୍ଧନ ମୂଲ୍ୟ ୯୭.୫୦ ଟଙ୍କା ଛୁଇଁଛି। ସାରା ଦେଶର ଦର କଥା ବିଚାର କଲେ ଏହା ସର୍ବାଧିକ। ସେହିଭଳି ଭୋପାଳରେ ତେଲ ଦର ୯୩.୫୬ ଟଙ୍କା ଏବଂ ମୁମ୍ବାଇରେ ୯୨.୨୮ ଟଙ୍କା ଛୁଇଁଛି। ନୂଆଦିଲ୍ଲୀରେ ୨୩ ଜାନୁୟାରୀରେ ପେଟ୍ରୋଲ ଦର ୮୫.୭୦ ଟଙ୍କା ରହିଥିଲା। ଏଠାରେ ଡିଜେଲ ୭୫.୮୮ ଟଙ୍କା ସ୍ତରରେ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୧.୯୯ ଟଙ୍କା ଏବଂ ଡିଜେଲ ୨.୦୧ ଟଙ୍କା ମହଙ୍ଗା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ମୂଳ ମୂଲ୍ୟ ବର୍ତ୍ତମାନ ଯଥାକ୍ରମେ ୨୮.୦୩ ଟଙ୍କା ଏବଂ ୨୯.୧୯ ଟଙ୍କା ରହିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କା ଉତ୍ପାଦ ଟିକସ ଲାଗୁ କରିଛନ୍ତି। ସେହିଭଳି ରାଜ୍ୟ ଭ୍ୟାଟ୍‌ ଭାବେ ଓଡିଶା ପେଟ୍ରୋଲ ଉପରେ ୧୬.୬୦ ଟଙ୍କା ଏବଂ ଡିଜେଲରେ ୧୪.୩୪ ଟଙ୍କା ଆଦାୟ କରୁଛି। ଏହାବାଦ ପରିବହନ ବାବଦ ଖର୍ଚ୍ଚ ଭାବେ ୦.୩୪ ପଇସାରୁ ୦.୩୭ ପଇସା ଏବଂ ଡିଲର କମିଶନ ପ୍ରାୟ ୨.୫୩ ଟଙ୍କାରୁ ୩.୬୭ ଟଙ୍କା ଲାଗୁ ହେଉଛି। ଫଳରେ ତେଲ ଦର ଆକାଶ ଛୁଆଁ ହେଉଛି। କରୋନା ଲକ୍‌ଡାଉନ ଜନିତ ସମୟରେ ସରକାର ୨୦୨୦ ମେ’ ୬ତାରିଖରେ ଇନ୍ଧନ ଉପରେ ଉତ୍ପାଦ ଟିକସ ବଢ଼ାଇଥିଲେ। ଏହି ସମୟରେ ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଶୁଳ୍କ ବୃଦ୍ଧି ପାଇଥିଲା। ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ ବୋଲି ସରକାର କହିଥିଲେ। ତେଲ କମ୍ପାନୀ ଟିକସ ବୋଝକୁ ନିଜେ ମୁଣ୍ଡାଇବେ ବୋଲି କୁହାଯାଇଥିଲା। ହେଲେ ଏହାପରଠାରୁ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି। ଇନ୍ଧନ ଉପରେ ତେଲ କମ୍ପାନୀ ତାଙ୍କ ଲାଭ, ଡିଲର କମିଶନ, କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଟିକସ ଯୋଗୁ ମୂଳ ମୂଲ୍ୟ ତୁଳନାରେ ରିଟେଲ ମୂଲ୍ୟ ଢେର ଅଧିକ ରହୁଛି। ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୦୧୪ରେ ସରକାରକୁ ଆସିବା ପରେ ତେଲ ଦର ନୂଆଦିଲ୍ଲୀରେ ପ୍ରାୟ ୨୦% ମହଙ୍ଗା ହୋଇଛି। କେନ୍ଦ୍ର ସରକାରଙ୍କ ଉତ୍ପାଦ ଟିକସ ବାଦ୍‌ ରାଜ୍ୟ ସ୍ତରରେ ଭାଟ୍‌ ଭିନ୍ନ ରହୁଛି। ରାଜସ୍ଥାନ ସରକାର ସବୁଠାରୁ ଅଧିକ ଭାଟ୍‌ ଲାଗୁ କରୁଛନ୍ତି। ଏଠାରେ ପେଟ୍ରୋଲ ଉପରେ ୩୮% ଏବଂ ଡିଜେଲ ଉପରେ ୨୮% ଭାଟ୍‌ ଲାଗୁଛି। ସେହିଭଳି ଓଡ଼ିଶାରେ ୩୨% ଏବଂ ୨୮% ଭାଟ୍‌ ଲାଗୁ ହେଉଛି।
ତେଲ ଉପରେ ଅତ୍ୟଧିକ ଟିକସ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧି ତୈଳ ଦର ବଢିଲେ ଏହାର ପ୍ରଭାବ ଦେଖାଯାଉଛି। କରୋନା କାଳରେ ଲୋକମାନେ ସମସ୍ୟାରେ ରହୁଥିବା ବେଳେ ଏଭଳି ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ଏପଟେ ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ତେଲ ଟିକସ ହ୍ରାସ କରିବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। କରୋନା ଯୋଗୁ ସରକାରଙ୍କ ରାଜସ୍ବ ପ୍ରଭାବିତ ହୋଇ ରହିଛି। ଅନ୍ୟ କୌଣସି ସାମଗ୍ରୀ ଉପରେ ସରକାର ଟିକସ ବଢ଼ାଇନାହନ୍ତି। ଉତ୍ପାଦ ଟିକସ ଏବଂ ରାଜ୍ୟ ସ୍ତରରେ ଭାଟ୍‌ ବଢ଼ାଇ ଟିକସ ଆଦାୟ ହେଉଛି। ଫଳରେ ଆଗାମୀ ଦିନରେ ମଧ୍ୟ ତେଲ ଦର ଖସିବା ନେଇ କୌଣସି ଆଶା ଦେଖାଯାଉନାହିଁ। ଟିକସ ହ୍ରାସ କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ(ୟୁପିଡିଏ)ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚା ରହିଛି। ତେଲ ଉପରେ ଟିକସ ଯୋଗୁ ଦର ଖସୁନାହିଁ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଟିକସ କମିଲେ ଏହାର ଲାଭ ଖାଉଟିଙ୍କୁ ମିଳିପାରନ୍ତା ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍‌ର ସୁପରଷ୍ଟାର: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ...

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ...

ଯାନ ଦର ବଢ଼ାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ଯାତ୍ରୀବାହୀ ଯାନ ବର୍ଗରେ ଦର ବୃଦ୍ଧି ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଇନ୍‌ପୁଟ ଖର୍ଚ୍ଚ ଏବଂ ସେମି କଣ୍ଡକ୍ଟର ମୂଲ୍ୟ...

ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ଗୋୟଲ

ନୂଆଦିଲ୍ଲୀ,୧୩-୯: ମହାନ୍‌ ବୈଜ୍ଞାନିକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ମାଧ୍ୟାକର୍ଷଣ ଶକ୍ତିକୁ ଖୋଜି ବାହାର କରିଥିଲେ ବୋଲି ସମସ୍ତେ ଜାଣନ୍ତି। ତେବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ...

୧୦ ଲକ୍ଷ କୋଟି ଛୁଇଁପାରେ ଏନ୍‌ପିଏ

ନୂଆଦିଲ୍ଲୀ,୨୫।୪: କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଘଟି ୧୦ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆଶଙ୍କା କରାଯାଇଛି।...

ଅର୍ଥନୀତିରେ ମାନ୍ଦାବସ୍ଥା ସମୟାନୁବର୍ତ୍ତୀ

ମୁମ୍ବାଇ,୩୦-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ନିଜର ବାର୍ଷିକ ରିପୋର୍ଟ ଜାରି କରିଛି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଚକ୍ରୀୟ ହ୍ରାସ...

ଲକ୍‌ଡାଉନ ଘୁଞ୍ଚିଲେ ଗରିବଙ୍କ ସଙ୍କଟ ବଢ଼ିଯିବ:ଡି. ସୁବାରାଓ

ନୂଆଦିଲ୍ଲୀ,୨୮।୪: କରୋନା ରୋକିବାକୁ ଏବେ ଲକ୍‌ଡାଉନ ଭଳି ପଦକ୍ଷେପ ନିଆଯାଇଛି। ସରକାର ଲକ୍‌ଡାଉନକୁ ମେ ମାସ ୩ ଯାଏ ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଗରିବଙ୍କ ଜୀବନ ଜୀବିକା...

ରୂପେ ସଫ୍ଟପିଓଏସ୍‌ ସମାଧାନ ଉନ୍ମୋଚନ

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ପେମେଣ୍ଟ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଏସ୍‌ବିଆଇ ପେମେଣ୍ଟସ ସହଯୋଗରେ ଭାରତର ନିୟୁତାଧିକ ମର୍ଚ୍ଚାଣ୍ଟଙ୍କ ପାଇଁ ରୂପେ ସଫ୍‌ଟପିଓଏସ୍‌କୁ ଉନ୍ମୋଚନ କରାଯାଇଛି।...

Advertisement
Archives

Model This Week