ରାଜ୍ୟ ସରକାରଙ୍କୁ ତେଲ ଚିନ୍ତା, ସମସ୍ତ ଜିଲାପାଳଙ୍କୁ ଚିଠି କରି ଏମିତି ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୩୦ା୧୧: ରାଜ୍ୟ ସରକାରକୁ ଜଙ୍କ ଫୁଡ୍‌ ଓ ତେଲ ଚିନ୍ତା ଏବେ ଘାରିଛି। ଏନେଇ ସମସ୍ତ ଜିଲାର ଜିଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହିତ ସବୁ ଅଙ୍ଗନଓ୍ବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ତେଲ ବୋର୍ଡ ଲାଗିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେଉଁ ଖାଦ୍ୟରେ କେତେ ତେଲ ଅଛି ଦର୍ଶାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ସାଇନ୍‌ବୋର୍ଡ ଲଗାଇବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଛଣା ଖାଦ୍ୟରେ କେତେ ତେଲ ବ୍ୟବହାର ହୋଇଛି ତାହା ଦର୍ଶାଇବା ଜରୁରୀ ବୋଲି ଚିଠିରେ ଉଲ୍ଲେଖ ରହିଛି।

ବିଭାଗୀୟ ଅତିରିକ୍ତ ସଚିବ ସ୍ବୟଂପ୍ରଭା ମହାନ୍ତି ଉଲ୍ଲେଖ କରିଛନ୍ତି, ଶିଶୁ ଓ କିଶୋରୀଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟ ସମ୍ବନ୍ଧୀୟ ଅଭ୍ୟାସକୁ ନେଇ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତିକ୍ରମେ ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ର, ଶିଶୁ ଯତ୍ନ କେନ୍ଦ୍ର, ୱାନ୍‌ଷ୍ଟପ୍‌ ସେଣ୍ଟର, ଶକ୍ତିି ସଦନ ଏବଂ ଅନ୍ୟ ଆବାସିକ ଅନୁଷ୍ଠାନଗୁଡ଼ିକରେ ତେଲ ବୋର୍ଡ ଲାଗିବ। ଏଥିରେ ପ୍ରତିଦିନ ଖାଦ୍ୟରେ ଲୁଚି ରହିଥିବା ଫ୍ୟାଟ୍‌ ଏବଂ ତେଲ ସମ୍ପର୍କରେ ସୂଚନା ଦିଆଯିବ। ଏହା ବଢ଼ୁଥିବା ମେଦବହୁଳତା ଏବଂ ଅଣସଂକ୍ରାମକ ରୋଗଗୁଡ଼ିକର ମୁକାବିଲା କରିବାରେ ବିଶେଷ ଭାବେ ସହାୟକ ହୋଇପାରିବ। ତେଣୁ ତୁରନ୍ତ ଏଦିଗରେ ଧ୍ୟାନଦେଇ ତେଲ ଡିସ୍‌ପ୍ଲେ-ବୋର୍ଡ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ଅତିରିକ୍ତ ସଚିବ ପତ୍ରରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

Share