ଥୁଆମୂଳରାମପୁର, ୨୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରତି ଶୁକ୍ରବାର ବସୁଥିବା ସାପ୍ତାହିକ ବଜାର ଏବେ ସଂପୂର୍ଣ୍ଣ ଅବ୍ୟବସ୍ଥା ଘେରରେ। ଲକ୍ଷ ଲକ୍ଷ ଟଙ୍କାର ସରକାରୀ ପିଣ୍ଡି ଅଦରକାରୀ ହୋଇ ପଡ଼ିଥିବା ବେଳେ ବ୍ୟବସାୟୀମାନେ ନର୍ଦ୍ଦମା ଓ ଅଳିଆ ଆବର୍ଜନା ପାଖରେ ପସରା ମେଲାଇବାକୁ ବାଧ୍ୟ ହେଉଛନ୍ତି। ବଜାର ପରିସରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଅଳିଆ ଆବର୍ଜନା ପାଣି ମଝି ରାସ୍ତାରେ ବୋହି ଯାଉଛି। ଏହି ଦୂଷିତ ପରିବେଶ ମଧ୍ୟରେ ହିଁ ଦୋକାନୀମାନେ ବସୁଥିବାରୁ ସାଧାରଣ ଖାଉଟିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। “ଆମେ ବାଧ୍ୟ ହୋଇ ଏହି ଅପରିଷ୍କାର ସ୍ଥାନରେ ବସୁଛୁ। ସପ୍ତାହକୁ ଥରେ ପଞ୍ଚାୟତ ପକ୍ଷରୁ ଝାଡ଼ୁ ମଧ୍ୟ ମରାଯାଉ ନାହିଁ କି ପାଣିର ବ୍ୟବସ୍ଥା ନାହିଁ” ବୋଲି କିଛି ଦୋକାନୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଓଡ୍ରି ପଞ୍ଚାୟତ ପିଇଓ (PEO) ଆର୍ତ୍ତତ୍ରାଣ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ମୁଁ ପୂର୍ବରୁ ଏହି ପଞ୍ଚାୟତ ଦାୟିତ୍ୱରେ ନଥିଲି। ବଜାର ପିଣ୍ଡିରେ ଦୋକାନ ବସାଇବା ପାଇଁ ବ୍ଲକ ପ୍ରଶାସନ କିମ୍ବା ଜିପିଡିଓ (GPDO)ଙ୍କ କାର୍ଯ୍ୟଳୟ ଆଡ଼ୁ କୌଣସି ସଂକେତ ମିଳିନାହିଁ। ରାଜସ୍ୱ କେତେ ଆସୁଛି ତାହା ଫାଇଲ୍ ଦେଖିଲେ ଜଣାପଡ଼ିବ। ତେବେ ବର୍ତ୍ତମାନ ବସୁଥିବା ବଜାର ସ୍ଥାନକୁ ସଫା ସୁତୁରା କରିବା ପାଇଁ ମୁଁ ଚେଷ୍ଟା କରୁଛି।” ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । PEOଙ୍କ ଏଭଳି ପ୍ରତିକ୍ରିୟାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବଜାରକୁ ଉତ୍ତମ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ବ୍ଲକର ଅନୁମତି ଅପେକ୍ଷା କର୍ତ୍ତୃପକ୍ଷଙ୍କ ଇଚ୍ଛାଶକ୍ତି ଜରୁରୀ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। ବଜାରଟି ସରକାରୀ ବିଦ୍ୟାଳୟ ଲାଗି ରହିଥିବା ବେଳେ ରାସ୍ତା ବୁଲାଣିରେ ଭିଡ଼ ଯୋଗୁଁ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିପାରେ। ଗାଁରେ ପରିମଳ ବ୍ୟବସ୍ଥା ଓ ସଫେଇ ଉପରେ ନଜର ରଖିବା ‘ଗାଁ କଲ୍ୟାଣ ସମିତି’ର ଦାୟିତ୍ୱ ହୋଇଥିବା ବେଳେ, ଏଠାରେ ସମିତି ସଂପୂର୍ଣ୍ଣ ନିଷ୍କ୍ରିୟ ଥିବା ଅଭିଯୋଗ ହୋଇଛି। ପ୍ରତି ଶୁକ୍ରବାର ଠିକାଦାର ଲୋକଙ୍କ ଠାରୁ ୫୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ବେଳେ ବଜାରର ସର୍ବନିମ୍ନ ଉନ୍ନତି ପାଇଁ ଏହି ଟଙ୍କା ବିନିଯୋଗ ନହେବା ପଞ୍ଚାୟତ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଜନ ଅସନ୍ତୋଷ ବଢ଼ିବ ବୋଲି ଅଞ୍ଚଳବାସୀ ତଥା ବ୍ୟବସାୟୀ ଙ୍କ ତରଫରୁ ଚେତାବନୀ ଦିଆଯାଇଛି।