ଓଡ଼ିଶାର ସୁଚିତ୍ରା ପରିଡ଼ା ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ଜିତିଲେ ଦ୍ୱିତୀୟ ପଦକ

ଭୁବନେଶ୍ୱର, ୫।୬: ଓଡ଼ିଶାର ସୁଚିତ୍ରା ପରିଡ଼ା ପ୍ୟାରିସରେ ଆୟୋଜିତ ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ-୨୦୨୫ରେ ଦ୍ୱିତୀୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସେ ଜାଭେଲିନ୍ ଓ ଶଟପୁଟ ଥ୍ରୋ ଇଭେଣ୍ଟରେ ପଦକ ହାସଲ କରିଛନ୍ତି।

ସୁଚିତ୍ରା ଫ୍ରାନ୍ସର ରାଜଧାନୀରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ମହିଳା ଶଟପୁଟ ଏଫ୫୪/ଏଫ୫୫ ବର୍ଗରେ ୫.୪୩ ମିଟର ଥ୍ରୋ ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୁ ସୁଚିତ୍ରା ପ୍ୟାରିସ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ମହିଳା ଜାଭେଲିନ୍ ଏଫ୫୫ ବର୍ଗରେ ୧୭.୯୮ ମିଟରର ବ୍ୟକ୍ତିଗତ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଜିତିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ୟାରିସ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ପରିଡ଼ାଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

“ପ୍ୟାରିସରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ-୨୦୨୫ରେ ତୁମର ସଫଳତା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ପାଇଁ ଗର୍ବର ବିଷୟ। ତୁମର ନିଷ୍ଠା ଓ ଖେଳ ପ୍ରତି ପ୍ରେମ ନିଶ୍ଚିତ ଭାବେ ଅନେକଙ୍କୁ ପ୍ରେରଣା ଦେବ,” ମୁଖ୍ୟମନ୍ତ୍ରୀ ଏକ ସୋସିଆଲ ମିଡିଆ (ଏକ୍ସ) ପୋଷ୍ଟରେ କହିଛନ୍ତି।

Share