ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ ଏହି ବୃହତ୍ତମ ଫର୍ମେଣ୍ଟେଡ ରାଇସ (ପଖାଳ) ପରିବେଷଣ ପାଇଁ ଗିନିଜ ୱାଲର୍ଡ ଅଫ୍ ରେକଡର୍ସରେ ସ୍ଥାନ ପାଇଛି। ବିଶ୍ୱ ପଖାଳ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥ ନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ପଖାଳ ପରବ’ରେ ୮୫୦ କେଜି ଚାଉଳରେ ଏହି ପଖାଳ ପ୍ରସ୍ତୁତ କରାଯାଇଥିଲା। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଅସାଧାରଣ କୃତି କେବଳ ଓଡ଼ିଶାର ସମୃଦ୍ଧ ରନ୍ଧନ ଶୈଳୀ ଓ ପରମ୍ପରାକୁ ସମ୍ମାନିତ କରୁନାହିଁ, ବରଂ ଓଡ଼ିଆ ସଂସ୍କୃତି ଓ ଦୈନନ୍ଦିନ ଜୀବନ ସହ ଜଡ଼ିତ ଆମର ପ୍ରିୟ ‘ପଖାଳ’କୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି। ଏହି ସଫଳତା ଓଡ଼ିଶାର ଦେଶୀ ଖାଦ୍ୟ ପରମ୍ପରାକୁ ବିଶ୍ୱ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛି। ଏହା ପ୍ରମାଣିତ କରିଛି ଯେ, କିଭଳି ପଖାଳ ଭାତ ଏକ ସାଧାରଣ ଖାଦ୍ୟରୁ ଆଜି ସାଂସ୍କୃତିକ ଗର୍ବ ଏବଂ ବିଶ୍ୱସ୍ତରୀୟ ମାନ୍ୟତାର ପ୍ରତୀକ ପାଲଟିଛି।