ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦% ଅଧିକ

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା): ଓଡ଼ିଶାକୁ କିଭଳି ଦେଶର ସବୁଠାରୁ ଅଗ୍ରଣୀ ରାଜ୍ୟରେ ପରିଗଣିତ କରାଯାଇପାରିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମ ଚଳାଇଛନ୍ତି। ଏପରି କି ରବିବାର ମଧ୍ୟ ଲୋକସେବା ଭବନରେ ବସି ସରକାରୀ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି। ଆଶା ରହିଛି ୨୦୩୬ରେ ଓଡ଼ିଶା ଯେତେବେଳେ ତା’ର ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରିବ, ସେତେବେଳକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଜ୍ୟ ରୂପେ ଦେଶରେ ଉଭା ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆର୍ଥିକ ସ୍ଥିତାବସ୍ଥା ନେଇ ଏକ ରିପୋର୍ଟ ଜାରି ହୋଇଛି; ଯେଉଁଥିରେ ଓଡ଼ିଶାର ବିକାଶ ଏବେ ତ୍ୱରାନ୍ବିତ ହେଉଥିବା ଜଣାଯାଇଛି। ଗତ ୧୦ବର୍ଷ ମଧ୍ୟରେ ଜାତୀୟ ଅଭିବୃଦ୍ଧି ହାର ଯାହା ରହିଛି, ତାହାଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦ % ଅଧିକ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଅର୍ଥ ବିଭାଗ ପକ୍ଷରୁ ନଭେମ୍ବର ୨୦ରେ ଜାରି ଅର୍ଥନୀତି ଚିତ୍ରପଟର ତଥ୍ୟ ଅନୁଯାୟୀ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ହାର ୭.୭୪% ରହିଛି, ଯାହା କି ଜାତୀୟସ୍ତରରେ ଏହି ହାର ୫.୫୪% ରହିଛି। କୋଭିଡ୍‌ ସମୟ(୨୦୨୦-୨୧)ରେ ଓଡ଼ିଶାର ଅର୍ଥନୀତି ତଥା ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ୨.୧ପ୍ରତିଶତ ସଙ୍କୁଚିତ ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ଏହା ୬.୬% ସଙ୍କୁଚିତ ହୋଇଥିଲା। ସେହିପରି ୨୦୨୧-୨୨ରେ ଏହା ରାଜ୍ୟରେ ୧୬.୪ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଜାତୀୟସ୍ତରରେ ମାତ୍ର ୭ପ୍ରତିଶତ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ ଗ୍ରୋଥ୍‌ ଇନ୍‌ ଓଡ଼ିଶା ଅର୍ଥନୀତି ବନାମ ଜାତୀୟ ଅର୍ଥନୀତିରେ ଦର୍ଶାଯାଇଛି।

ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ୯.୪୯ ଲକ୍ଷ କୋଟି ଟଙ୍କା ରହିଥିଲା, ଯାହା କି ୧୧୫ ବିଲିୟନ ଆମେରିକୀୟ ଡଲାର ସହିତ ସମାନ। ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ୧୯% ପ୍ରତିଶତ ଜିଏସ୍‌ଡିିପି ମିଳିଥିବାବେଳେ ଶିଳ୍ପ କ୍ଷେତ୍ରରୁ ସର୍ବାଧିକ ୪୪% ପ୍ରତିଶତ ଏବଂ ସେବା କ୍ଷେତ୍ରରୁ ୩୭% ମିଳୁଛି। ସେହିପରି ଗତ ୭ବର୍ଷ ମଧ୍ୟରେ ରାଜ୍ୟର ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ହାର ୮ପ୍ରତିଶତ ରହିଛି। ତେବେ ୨୦୧୫-୧୬ ଆର୍ଥିକବର୍ଷରେ ଓଡ଼ିଶାର ଜିଏସ୍‌ଡିପି ହାର ୮.୦୦ ରହିଥିବାବେଳେ ୨୦୨୦-୨୧ରେ ଏହା ଖସି ବିଯୁକ୍ତ(-)୬.୬୦ପ୍ରତିଶତ ହୋଇଥିଲା। ମାତ୍ର ୨୦୨୦-୨୧ ପରେ ଏହା ଏକାଥରକେ ୬.୯୯ ପ୍ରତିଶତକୁ ଉଠି ସେବେଠାରୁ ଏହି ହାର ବଜାୟ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ପୁଞ୍ଜିବିନିଯୋଗ ପାଇଁ ସରକାରଙ୍କ ପକ୍ଷରୁ ଶିଳ୍ପନୀତିରେ ସଂସ୍କାର ଅଣାଯିବା ସହିତ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନକୁ ଗୁରୁତ୍ୱ ଦିଆଯାଉଛି; ଯେଉଁଥିପାଇଁ ଗତ ଦଶନ୍ଧି ତଳେ ରାଜ୍ୟରୁ ମୁହଁ ଫେରାଇଥିବା ପୋସ୍‌କୋ ଏବେ ଓଡ଼ିଶାମୁହାଁ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ମହାକୁମ୍ଭରେ ୧୦ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଲାଗି ସରକାରୀ ଉଦ୍ୟମ ଜାରି ରହିଥିବାବେଳେ ଅର୍ଥ ବିଭାଗର ଏହି ସକାରାତ୍ମକ ରିପୋର୍ଟ ସରକାରଙ୍କ ମନୋବଳ ବୃଦ୍ଧି କରିବ ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share