ଭଞ୍ଜନଗର,୪।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ସମ୍ପ୍ରସାରିତ ୱାଟର ପାର୍କ ରବିବାର ଉଦଘାଟିତ ହୋଇଯାଇଛି। ଏହା ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦ୍ଘାଟନ କରିଥିଲେ। ଏଥିସହ ନବ ନିର୍ମିତ ଫୁଡ କୋର୍ଟକୁ ମଧ୍ୟ ବିଧାୟକ ଉଦଘାଟନ କରିଛନ୍ତି।
ଓ୍ବାଟର ପାର୍କ ଉଦ୍ଘାଟନ ଅବସରରେ ବିଧାୟକ ନାୟକ କହିଥିଲେ ଯେ ଉକ୍ତ ପାର୍କକୁ ରାଜ୍ୟର ଏକ ନମ୍ବର ପାର୍କ କରାଯିବ। ଏଥିପାଇଁ ପଦକ୍ଷେପ ନିଆଯାଇଛି। ୱାଟର ପାର୍କ ଖୋଲିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ଆସି ତାହାର ମଜା ଉଠାଇବେ। ଆଗାମୀ ଦିନରେ ଭଞ୍ଜନଗର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବ। ଏଥିସହ ଆମ ଅଞ୍ଚଳର ଅନେକ ପରିବାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଉପ ଜିଲାପାଳ ଉମା ଶଙ୍କର ବେହେରା, ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।
ସୂଚନା ଯୋଗ୍ୟ ଯେ ୨୦୨୪ ମସିହା ଜାନୁୟାରୀ ୨୬ ତାରିଖରେ ୱାଟର ପାର୍କ ଖୋଲିଥିଲା। ଏହା ୬ ମାସ ଚାଲିବା ପରେ ପରିଚାଳନାଗତ ତ୍ରୁଟି ଯୋଗୁ ତାହା ବନ୍ଦ ହୋଇଯାଇଥିଲା। କିଛି ମାସ ପୂର୍ବେ ବିଧାୟକ ନାୟକ ଜାଣିବା ପରେ ତାହା ପୁଣି କିଭଳି ଚାଲିବ ସେଥିପାଇଁ ବ୍ୟବସ୍ଥା କରିଥିଲେ। ୱାଟର ପାର୍କର କିଛି କାର୍ଯ୍ୟ ସମ୍ପ୍ରସାରଣ କରାଯିବା ସହ ଆଉ କିଛି କାର୍ଯ୍ୟକୁ ମରାମତି କରାଯାଇ ପୁଣି ଆଜିଠୁ ଖୋଲିବା ବ୍ୟବସ୍ଥା କରାଯାଇଛି। ଯାହାକୁ ନେଇ ଅଞ୍ଚଳବାସି ଖୁସିବ୍ୟକ୍ତ କରିବା ସହ ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ଆହୁରି ପଢ଼ନ୍ତୁ…