ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କେଟିଂ ତାରକା ଅନାହିତା ମିଶ୍ର ପର୍ତ୍ତୁଗାଲରେ ଅନୁଷ୍ଠିତ ଫାରୋ ଇନଲାଇନ ଫ୍ରିଷ୍ଟାଇଲ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଏହି ସଫଳତା ସହ ସେ ଏସିଆର ପ୍ରଥମ ଖେଳାଳି ଭାବେ ୟୁରୋପୀୟ ପ୍ରାଧାନ୍ୟ ବିଶିଷ୍ଟ ଏହି ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି।
କଟକର ଏହି ଯୁବ ପ୍ରତିଭା ରବିବାର ଅନୁଷ୍ଠିତ ଏହି ପ୍ରତିଷ୍ଠିତ ଇଭେଣ୍ଟରେ ସ୍ପିଡ ସ୍ଲାଲମରେ ବିଶ୍ୱର ୪ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ଶୀର୍ଷ ସ୍ଥାନ ସହ ଟ୍ରଫି ଓ ନଗଦ ପୁରସ୍କାର ହାସଲ କରିଛନ୍ତି।
୨୦୨୫ରେ ଏହା ଅନାହିତାଙ୍କ ତୃତୀୟ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ସେ ପୋଲାଣ୍ଡର କେଟ୍ରଜିନ ଓ ଫ୍ରାନ୍ସର ରେନେସରେ ସ୍ୱର୍ଣ୍ଣ ଜିତି ନିଜକୁ ଏହି ଖେଳର ଉଜ୍ଜ୍ୱଳ ତାରକା ଭାବେ ପ୍ରତିଷ୍ଠିତ କରିଛନ୍ତି।
ଭାରତରେ ରୋଲର ସ୍କେଟିଂ ଏକ ସ୍ୱର୍ଣ୍ଣିମ ଯୁଗ ଦେଖୁଛି। ଗତ କିଛି ସପ୍ତାହ ମଧ୍ୟରେ ସ୍ପିଡ ସ୍କେଟର, ଆର୍ଟିଷ୍ଟିକ ସ୍କେଟର ଓ ଇନଲାଇନ ଫ୍ରିଷ୍ଟାଇଲ ସ୍କେଟରମାନେ ଆନ୍ତର୍ଜାତୀୟ ମଞ୍ଚରେ ନିଜର ଛାପ ଛାଡ଼ୁଛନ୍ତି।