ନୂଆଦିଲ୍ଲୀ,୨୪।୧୦: ଡାଲି ଜାତୀୟ ଫସଲ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାକୁ ଡାଲିର “ବିହନ କେନ୍ଦ୍ର” (Seed Hub) ରେ ପରିଣତ କରିବାକୁ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲକ୍ଷ୍ୟ ରଖିଛନ୍ତି।
ଗୁରୁବାର ଲୋକସେବା ଭବନରେ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଘନ କୃଷି କାର୍ଯ୍ୟକ୍ରମ ବୈଠକରେ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟରେ କ୍ଲଷ୍ଟର ପଦ୍ଧତି ମାଧ୍ୟମରେ ହରଡ଼, କଳା ଚଣା ଏବଂ ଅନ୍ୟାନ୍ୟ ଡାଲି ଚାଷକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବୈଠକରେ ICRISAT ଦ୍ୱାରା ବିକଶିତ ଏକ ନୂତନ ହରଡ଼ ପ୍ରଜାତି ICPV25444 ଉପରେ ଆଲୋଚନା କରାଯାଇଥିଲା, ଯାହାର ବିଶେଷତ୍ଵ ହେଲା, ଏହା ଯେକୌଣସି ଋତୁରେ ଚାଷ କରାଯାଇପାରିବ। ଏହା ୪୫° ସେଲସିୟସ୍ ପର୍ଯ୍ୟନ୍ତ ତୀବ୍ର ଗରମ ସହନ କରିବାର କ୍ଷମତା ରହିଛି। ୧୨୦ ଦିନ ମଧ୍ୟରେ ଉଚ୍ଚ ଅମଳକ୍ଷମ ଉତ୍ପାଦନ ଦେଇପାରିବ।
ଉପ-ମୁଖ୍ୟମନ୍ତ୍ରୀ ଏହି ନୂତନ କିସମ ସହିତ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ ଦ୍ୱାରା ପୁନରୁଦ୍ଧାର କରାଯାଉଥିବା ଡଙ୍ଗରରାଣୀ ଏବଂ କାନ୍ଦୁଲ ଭଳି ପାରମ୍ପରିକ ଓ ବିଲୁପ୍ତପ୍ରାୟ କିସମଗୁଡ଼ିକୁ ମଧ୍ୟ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ସମେତ ICRISAT ଓ ICARDA ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।