ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେବେ ଜାନୁଆରୀ ପହିଲାରୁ ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି। ଶନିବାର ରାଜ୍ୟରେ ଦିନ ତାପମାତ୍ରା ୨୩.୮ ଡିଗ୍ରୀ(ଚାନ୍ଦବାଲି ଓ କଟକ)ରୁ ୨୯.୪ ଡିଗ୍ରୀ ସେଲସିୟସ୍‌(ପାରଳାଖେମୁଣ୍ଡି) ମଧ୍ୟରେ ରହିଥିଲା।

ସେହିପରି ରାତି ତାପମାତ୍ରା ୪.୮ ଡିଗ୍ରୀ(କୋରାପୁଟ)ରୁ ୧୬.୫ ଡିଗ୍ରୀ(ଗୋପାଳପୁର) ମଧ୍ୟରେ ରହିଥିଲା। ରବିବାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୋଳ, ଢ଼େଙ୍କାନାଳ, କଟକ, ଯାଜପୁର, ଦେବଗଡ଼, ସମ୍ୱଲପୁର, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୋନପୁର, ଜଗତ୍‌ସିଂହପୁର ଓ ଝାରସୁଗୁଡ଼ାର କେତେକ ସ୍ଥାନରେ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଅନ୍ୟପଟେ ଘନକୁହୁଡ଼ି ନେଇ କନ୍ଧମାଳ, କୋରାପୁଟ ଓ ନୟାଗଡ଼ ଆଦି ଜିଲାର କିଛି ସ୍ଥାନକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି।