ଭୁବନେଶ୍ୱର,୨୧।୯(ସୁନିତ୍ ମିଶ୍ର): କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦେଶରେ ଏକ ନିର୍ଦ୍ଦେଶାବଳୀ ଜାରିକରି ମହିଳା ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି କହିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶ ଭିତରେ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ଓଡ଼ିଶା ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କ ଭିତରେ ଅନାଦାର ଭାବ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଗଲା। ଏହି ଘଟଣା ପରେ ଟ୍ରମ୍ପ୍ଙ୍କ ସଂଶୋଧିତ ମନ୍ତବ୍ୟ ପ୍ରକାଶ କରାଇବା ନେଇ ପଦକ୍ଷେପ ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସରକାରଙ୍କ ପକ୍ଷରୁ ସିଧାସଳଖ ଟ୍ରମ୍ପ୍ଙ୍କ ନାମ ଉଲ୍ଲେଖ କରା ନ ଯାଇ ବିଦେଶ ଶାସକ ବୋଲି ଉଲ୍ଲେଖ କରାଯାଇଛି।
ବିଧାନସଭା ସଦସ୍ୟ ଅଶ୍ୱିନୀ କୁମାର ପାତ୍ର ଶନିବାର ଏକ ଅଣତାରକା ପ୍ରଶ୍ନରେ ପଚାରିଛନ୍ତି, ନିକଟରେ ଗଣମାଧ୍ୟମରେ ସମଗ୍ର ଦେଶରେ ପ୍ରକାଶ ପାଇଥିବା ବିଦେଶ ଶାସକଙ୍କ ମନ୍ତବ୍ୟ ଅନୁସାରେ ରାଜ୍ୟ ପର୍ଯ୍ୟଟନ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ, ଏଥିଲାଗି ପର୍ଯ୍ୟଟନ ନୀତି ପ୍ରତି ଆଘାତ ଲାଗିଥିବା ସରକାର ଅବଗତ ଅଛନ୍ତି କି? ଯଦି ଅବଗତ ଅଛନ୍ତି ତା’ହେଲେ ଦେଶ, ବିଦେଶରେ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବାକୁ ସରକାରଙ୍କ କ’ଣ ବିଶେଷ କାର୍ଯ୍ୟକ୍ରମ ରହିଛି।
ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ନିକଟରେ ଗଣମାଧ୍ୟମରେ ସମଗ୍ର ଦେଶରେ ପ୍ରକାଶ ପାଇଥିବା ବିଦେଶ ଶାସକଙ୍କ ମନ୍ତବ୍ୟ ବିଷୟରେ ସରକାର ଅବଗତ ଅଛନ୍ତି। ବିଦେଶ ଶାସକଙ୍କ ଏହି ମନ୍ତବ୍ୟ ଭିତ୍ତିହୀନ ଓ ତାହାର ସତ୍ୟତା ନାହିଁ। ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହ ବିଭାଗ, ଓଡ଼ିଶା ସରକାରଙ୍କୁ ନଥି ସଂଖ୍ୟା ଟିସିଟି-ସିଓଓଡି-ଏମ୍ଆଇଏସ୍ସି-୦୦୪୬-୨୦୨୫ ମାଧ୍ୟମରେ ଅବଗତ କରାଯାଇଛି। ପୁନଶ୍ଚ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ତାଙ୍କ ପତ୍ର ସଂଖ୍ୟା ୨୨୪୬/ସି ଗତ ସେପ୍ଟେମ୍ବର ୧ ଦ୍ୱାରା ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯିବା ସହିତ ବିଦେଶ ଶାସକଙ୍କ ମନ୍ତବ୍ୟକୁ ସମୀକ୍ଷାକରି ସଂଶୋଧିତ ମନ୍ତବ୍ୟ ପ୍ରକାଶ କରିବା ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।


