ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ ଏହାର ଏକ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ସହରର ଅମଲିପାଲି ବାଏପାସ ରାସ୍ତା କଡ଼ ଜଙ୍ଗଲ ବୁଦା ଭିତରେ ଶୁକ୍ରବାର ସକାଳେ ବିପୁଳ ପରିମାଣର ସରକାରୀ ଔଷଧ ପଡ଼ିରହିଥିବା ଦେଖିବାକୁ ମିଳିଛି।
ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ପ୍ରାୟ ୨.୫ କିଲୋମିଟର ଦୂର ଏବଂ ସରକାରୀ ମେଡ଼ିକାଲ କଲେଜ ନିକଟସ୍ଥ ଅମଲିପାଲି ବାଏପାସ ନିକଟରେ ଫିଙ୍ଗା ଯାଇଥିବା ଔଷଧ ମଧ୍ୟରେ ବିଭିନ୍ନ ପ୍ରକାରର ଟାବଲେଟ ଏବଂ ସିରଫ୍‌ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଔଷଧ ଗୁଡ଼ିକର ଏକ୍ସପାଏରୀ ତାରିଖ ଶେଷ ହୋଇନାହିଁ। ଏହାର ବ୍ୟବହାର ଅବଧି ଆହୁରି ୬ ରୁ ୮ ମାସ ବାକି ଅଛି।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ତେବେ ଆଜି ରାମନବମୀ ଛୁଟି ଥିବାରୁ, ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିମ୍ବା ଔଷଧ ବ୍ୟାଙ୍କ ଦାୟିତ୍ୱରେ ଥିବା କୌଣସି ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।
ଏମିତିରେ  ଯେଉଁ ଔଷଧ ରୋଗୀଙ୍କ ଜୀବନ ବଞ୍ଚାଇବା କଥା, ତାହାକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଜଙ୍ଗଲରେ ଫିଙ୍ଗିଲା? ଏହା ପଛରେ କୌଣସି ବଡ଼ ଧରଣର ଅନିୟମିତତା ରହିଛି କି? ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
Dharitri – Odisha’s No.1 Odia Daily

Share