ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ବିମାନ ଚଳାଚଳ ଏବଂ ଡ୍ରୋନ୍ ପ୍ରଶିକ୍ଷଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।
ମେସର୍ସ ଆଲକେମିଷ୍ଟ ଆଭିଏସନ ସହ ହୋଇଥିବା ଚୁକ୍ତି ଅନୁଯାୟୀ, ମୟୂରଭଞ୍ଜ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ବିମାନବନ୍ଦରରେ ଏକ ‘ଫ୍ଲାଇଙ୍ଗ୍ ଟ୍ରେନିଂ ଅର୍ଗାନାଇଜେସନ୍’ (FTO) ପ୍ରତିଷ୍ଠା କରାଯିବ। ଏଠାରେ ବାର୍ଷିକ ପ୍ରାୟ ୫୦ ଜଣ ପାଇଲଟଙ୍କୁ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରହିଛି।
ମେସର୍ସ ବନଭି ଏରୋ ସହ ହୋଇଥିବା ଦ୍ୱିତୀୟ ଚୁକ୍ତି ଅନୁଯାୟୀ, ବ୍ରହ୍ମପୁର ରଙ୍ଗେଇଲୁଣ୍ଡାଠାରେ ଓଡ଼ିଶାର ପ୍ରଥମ ଡ୍ରୋନ୍ (UAV) ପ୍ରଶିକ୍ଷଣ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ। ଏହି କେନ୍ଦ୍ରରେ ବାର୍ଷିକ ୧୦୦ରୁ ଅଧିକ ଡ୍ରୋନ୍ ପାଇଲଟଙ୍କୁ ପ୍ରଶିକ୍ଷଣ ଦିଆଯିବ।
ହାଇଦ୍ରାବାଦର ବେଗମ୍ପେଟ ବିମାନବନ୍ଦରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପାଭିଲିୟନର ବିଷୟବସ୍ତୁ ରହିଛି “ଓଡ଼ିଶା ଟେକ୍ସ ଫ୍ଲାଇଟ୍”। ଏହା ମାଧ୍ୟମରେ ରାଜ୍ୟ ସରକାର ନିଜର ପ୍ରଗତିଶୀଳ ନୀତି ଏବଂ “ସମସ୍ତଙ୍କ ପାଇଁ ବିମାନ ସେବା”ର ସଂକଳ୍ପକୁ ପ୍ରଦର୍ଶିତ କରିଛନ୍ତି।