ଭୁବନେଶ୍ୱର,୧।୧୧: ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମ୍ବ୍ରାଞ୍ଚକୁ ବଡ଼ ସଫଳତା। ରାକେଟ୍ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ। ନେପାଳ ବର୍ଡର ସ୍ଥିତ ଉତ୍ତରାଖଣ୍ଡ ଅଞ୍ଚଳରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତେବେ ଘଟଣା ପରଠାରୁ ସେ ନେପାଳ ବର୍ଡରରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଏହି ଜାଲିଆତିରେ ବହୁ କୋଟି ଟଙ୍କାର ଠକେଇ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଏହି ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ଏପର୍ଯ୍ୟନ୍ତ ୧୧୪ ଜଣ ପ୍ରାର୍ଥୀ ଓ ୯ ଜଣ ଦଲାଲ ଗିରଫ ହୋଇଥିଲେ। ଅକ୍ଟୋବର ୨୯ରେ ବିଶେଷ ଭିଜିଲାନ୍ସ କୋର୍ଟ ୧୧୪ ଜଣ ପ୍ରାର୍ଥୀଙ୍କୁ ଶର୍ତସାପେକ୍ଷ ଜାମିନ ଦେଇଛନ୍ତି (୫୦,୦୦୦ ଟଙ୍କା ବଣ୍ଡ ଓ ୨ ଜଣ ଜାମିନଦାର)। ୭ ଜଣ ଦଲାଲଙ୍କ ଜାମିନ ନାମଞ୍ଜୁର ହୋଇଛି। ତେବେ ଠକେଇରେ ପ୍ରତ୍ୟେକ ପ୍ରାର୍ଥୀଠାରୁ ୨୫ ଲକ୍ଷ ଟଙ୍କା ନେଇ ଚାକିରି ନିଶ୍ଚିତ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଅନେକ ପ୍ରାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ବାହାରେ “ବିଶେଷ କୋଚିଂ” ନାମରେ ନିଆଯାଉଥିଲା। ସମ୍ପୂର୍ଣ୍ଣ ଟଙ୍କା ନମିଳିବା ପର୍ଯ୍ୟନ୍ତ ମୂଳ ସାର୍ଟିଫିକେଟ ଜବତ ରଖାଯାଉଥିଲା।
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପୂର୍ବରୁ ତାଙ୍କର ସହଯୋଗୀ ମୁନା ମହାନ୍ତି ସହ ୫ ଜଣ ଗିରଫ ହୋଇଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। ଏହି ପରୀକ୍ଷା ବାତିଲ ହୋଇଛି। ଆଗାମୀ ଦିନରେ ନୂଆ ତାରିଖ ଘୋଷଣା ହେବ। ଘଟଣା ପରେ ପ୍ରକୃତ ପ୍ରାର୍ଥୀମାନେ ଭୁବନେଶ୍ୱରରେ ବିକ୍ଷୋଭ ଜାରି ରଖିଛନ୍ତି।
Dharitri – Odisha’s No.1 Odia Daily