ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର ବିଳମ୍ବିତ ରାତିରେ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏସଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ପୋଲିସ ତଦନ୍ତ ଆରମ୍ଭ କରି ବଳାତ୍କାର କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ।
ତେବେ ପୀଡ଼ିତାଙ୍କ ସ୍ବାମୀଙ୍କ ଅଭିଯୋଗନୁସାରେ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ଏହି ଦମ୍ପତି ତାମିଲନାଡ଼ୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମଙ୍ଗଳବାର ରାୟଗଡ଼ାକୁ ଟ୍ରେନ ଯୋଗେ ଫେରିଥିଲେ। ରାତି ୮ଟା ସମୟରେ ନିଜ ଗାଁକୁ ଫେରିବା ପାଇଁ ରାୟଗଡ଼ା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଯୁବକ କେଉଁଆଡେ ଯିବ ବୋଲି ଉକ୍ତ ଦମ୍ପତିଙ୍କୁ ପଚାରିଥିଲେ। ଦମ୍ପତି ବନ୍ଧୁଗାଁକୁ ବସ ପାଇଁ ଅପେକ୍ଷା କରିଛୁ ବୋଲି କହିଥିଲେ। ତେବେ ବଳାତ୍କାର ଅଭିଯୁକ୍ତ ବତ୍ତର୍ର୍ମାନ ଆଉ ବନ୍ଧୁଗାଁକୁ ବସ ମିଳିବ ନାହିଁ ଏବଂ ମୋ ଘରେ ରହିଯାଅ ବୋଲି ସେମାନଙ୍କୁ କହିଥିଲେ। ପ୍ରଥମେ ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କୁ ନେଇ ଏକ ଦୋକାନରେ ଛାଡ଼ି ଟିଫିନ ଆଣି ଆସୁଛି କହି ସେଠାରୁ ଚାଲିଯାଇଥିଲେ । ସେଠାରୁ ଆସି ପୀଡ଼ିତାଙ୍କୁ କୋଇଲାପଡ଼ା ନିକଟସ୍ଥ ବୁଦାକୁ ନେଇ ବଳାତ୍କାର କରିଥିଲେ। ତେବେ ସ୍ତ୍ରୀ ଦୀର୍ଘ ସମୟ ଧରି ନ ଫେରିବାରୁ ସ୍ବାମୀ ବସଷ୍ଟାଣ୍ଡ ଆସି ସ୍ତ୍ରୀଙ୍କୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ । ପରେ ସ୍ବାମୀ ଖୋଜାଖୋଜି କରୁଥିବା ବେଳେ ପୀଡ଼ିତା କାନ୍ଦି କାନ୍ଦି ଆସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସ୍ତ୍ରୀ ସମସ୍ତ ଘଟଣା ସ୍ବାମୀଙ୍କୁ ଜଣାଇବା ପରେ ଉଭୟ ଯାଇ ରାୟଗଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ ।
ଏନେଇ ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁଙ୍କୁ ପଚାରିବାରୁ ପୀଡ଼ିତା ଲିଖିତ ଅଭିଯୋଗକୁ ଭିତ୍ତି କରି କେସ ନଂ ୪୩୧ରେ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିବା ସହିତ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି । ମହିଳାଙ୍କ ବୟାନ ମୁତାବକ ବଳାତ୍କାର ଘଟଣା ଘଟିଥିବା ସ୍ଥାନକୁ ଯାଇ ସେଠାରେ ତଦନ୍ତ କରାଯାଇଛି ବୋଲି କହିଛନ୍ତି ଏସଡିପିଓ ସାହୁ । ତେବେ ଟାଉନ ଥାନାରେ ୨୦୦ ମିଟର ଦୂରରେ ରହିଥିବା ବସଷ୍ଟାଣ୍ଡ ନିକଟରେ ସିସି କ୍ୟାମେରା ଲାଗିଥିଲେ ମଧ୍ୟ ଅପରାଧୀ ଅପରାଧ କରିବାକୁ ଭୟ କରୁନାହାନ୍ତି । ଅନ୍ୟପଟେ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ପାଇଁ ପୀଡ଼ିତା ମହିଳା ଓ ତାଙ୍କ ସ୍ବାମୀ ଦାବି କରିଛନ୍ତି ।