ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ

ଭୁବନେଶ୍ୱର, ୧୨।୧୦(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାର ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ଏଥିସହିତ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ଗତ ୯ ତାରିଖରୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ବୁଧବାର ଶେଷଦିନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ଶ୍ରେଷ୍ଠ ବିବେଚିତ ୬୦ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ ଉତ୍ସବରେ ବିଜ୍ଞାନ ଓ କାରିଗରି କୌଶଳ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାରୁ ୨୭ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ। ତେବେ ପୁରସ୍କୃତ ୫ଟି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ଜିଲାର ଛାତ୍ର ଶ୍ରେୟାଂଶ ନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ଅଟୋମେଟିକ ଷ୍ଟ୍ର ପ୍ରୋସେସିଙ୍ଗ ଆଣ୍ଡ୍‌ ପ୍ୟାକେଜିଙ୍ଗ ମେଶିନ ଫର୍‌ ଅଏଷ୍ଟର ମସ୍‌ରୁମ୍‌’ ପ୍ରକଳ୍ପଟି ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିପାରିଛି। ଅନ୍ୟ ୪ଟି ପୁରସ୍କୃତ ପ୍ରକଳ୍ପ ମଧ୍ୟରେ ବରଗଡ଼ ଜିଲାର ଛାତ୍ରୀ କ୍ରିଷ୍ଣା ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ‘ସ୍ମାର୍ଟ ହେଲ୍‌ଥ କେୟାର’, ମୟୂରଭଞ୍ଜ ଜିଲାର ଛାତ୍ରୀ ତୃପ୍ତି ଟଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ‘ଡେଭେଲପ୍‌ମେଣ୍ଟ ଅଫ୍‌ ରୋଲର ବ୍ରଶ’, ଝାରସୁଗୁଡ଼ା ଜିଲାର ଛାତ୍ର ସୁମୟ ସେନାପତିଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ‘ସୋଲ୍ଡରିଙ୍ଗ ସ୍ମୋକ୍‌ ଅବ୍‌ଜର୍‌ଭର୍‌୍‌’ ଓ କଳାହାଣ୍ଡି ଜିଲାର ଛାତ୍ର ସୌମ୍ୟରଞ୍ଜନ ସିଂଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ‘ସେଫ୍‌ ସିଓ୍ବିଙ୍ଗ୍‌ ଆଡଭାନ୍ସସେସ୍‌’ ରହିଛି। ଏହି ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଏବଂ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।