ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର ବାଲିଆଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିବା ଓଡ଼ିଶାର ୧୮ ଜଣ ଖେଳାଳି ଟ୍ରେନର ଟଏଲଟ୍ ପାଖରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଛି।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଖେଳାଳିମାନଙ୍କୁ (୧୦ ପୁଅ ଓ ୮ ଝିଅ) ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପଠାଯାଇଥିଲା। ମାତ୍ର ସେମାନଙ୍କ ପାଇଁ କୌଣସି କନଫର୍ମ ଟିକେଟ୍ କରାଯାଇନଥିବା ଅଭିଯୋଗ ହୋଇଛି।
ଏହି ହାଡ଼ଭଙ୍ଗା ଶୀତରେ ଖେଳାଳିମାନେ ଟ୍ରେନର ଜେନେରାଲ ବଗିରେ ଟଏଲଟ୍ ପାଖରେ ବସି ପ୍ରାୟ ୧୨୦୦ କିଲୋମିଟର ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ଏପରିକି ଯିବା ଓ ଆସିବା ସମୟରେ ମଧ୍ୟ ସେମାନଙ୍କୁ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।
ଖେଳାଳିଙ୍କ ସହ ଯାଇଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, କଟକର ଜଣେ ମ୍ୟାନେଜରଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି, “ଯଦି ଦେଶ ପାଇଁ ଖେଳୁଥିବା ଖେଳାଳିଙ୍କୁ ସର୍ବନିମ୍ନ ସୁବିଧା ମିଳିବ ନାହିଁ, ତେବେ ସେମାନେ କିଭଳି ପଦକ ଜିତିବେ?”
ଭିଡିଓଟି ଭାଇରାଲ ହେବା ପରେ ଏବଂ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ଖେଳ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଖେଳାଳିମାନଙ୍କୁ ଏଭଳି ଅମାନୁଷିକ ଭାବେ ନିଆଗଲା ଏବଂ ଏଥିପାଇଁ କିଏ ଦାୟୀ, ତାହାର ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ରାଜ୍ୟ ପ୍ରଶାସନ ପକ୍ଷରୁ କ୍ରୀଡ଼ା ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ, ବାସ୍ତବରେ ଖେଳାଳିମାନେ ଏଭଳି ଅବହେଳାର ଶିକାର ହେବା ଲଜ୍ଜାଜନକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।